ରେଳ ଉପଭୋକ୍ତା ସଂଘ ତରଫରୁ ରେଳ ଷ୍ଟେସନ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘର ସଭାପତି ତଥା ଜେଡ୍‌ଆରୟୁସିସି ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍‌ କାଲି ହଠାତ୍‌ ରେଳ ଷ୍ଟେସନକୁ ଯାଇ ପ୍ରତ୍ୟକ୍ଷ ଭାବରେ ଯାତ୍ରୀମାନଙ୍କ ସମସ୍ୟା ବୁଝିଥିଲେ । ୯୨ ବର୍ଷ ହେଉଥିବା ରେଳ ଷ୍ଟେସନରେ ଗତ ବର୍ଷରୁ ସ୍ୱପ୍ନ ଦେଖାଉଥିବା ବିଶ୍ୱସ୍ତରୀୟ ଷ୍ଟେସନକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ । ଟିକଟ କାଉଣ୍ଟରରୁ ଏକ ନମ୍ବର ପ୍ଲାଟଫର୍ମକୁ ଲୋକେ ଭିଜି ଭିଜି ଆସୁଛନ୍ତି । ୧ନଂ ରୁ ୨ନଂ ପ୍ଲାଟଫର୍ମକୁ ଗଲା ସମୟରେ ମଝି ଖୋଲା ସ୍ଥାନରେ ସେଡ୍‌ ନାହିଁ, ଉଚ୍ଚ ଶ୍ରେଣୀ ପ୍ରତିକ୍ଷାଳୟରେ ସାମାନ୍ୟ ଏସି ଟିଏ ନାହିଁ । ଦ୍ୱିତୀୟ ଶ୍ରେଣୀ ପ୍ରତିକ୍ଷାଳୟ ସଫେଇ କର୍ମଚାରୀଙ୍କ ଅଭାବରୁ ଦିନକୁ ଦୁଇଥର ସଫା ହେଉଛି ବୋଲି କର୍ତ୍ତୃପକ୍ଷ କହୁଛନ୍ତି । ମାତ୍ର ଭିତରକୁ ପଶିଗଲେ ଗନ୍ଧରେ ନାକ ଫାଟି ଯାଉଛି । ଶୁକ୍ଳଦେୟ ଶୈାଚାଳୟରେ ତାଲା ପଡିଛି, ଟ୍ରେନ ଆସିବା ସମୟରେ ଆରୋ ପାଣି ଖୋଲାଯାଇ ନାହିଁ, ୧ ନଂ.ରୁ ୨ ନଂ. ବା ୩ ନଂ.ରୁ ରୋଗୀଙ୍କୁ ହ୍ୱିଲ ଚେୟାରରେ ନେବାକୁ ଉଦ୍ଦିଷ୍ଟ ଚଲାପଥ ବହୁ ଦୂରରେ ଅଛି ଓ ମାଲବାହି ଟ୍ରେନ ଥିଲେ ତାହାର ଦୁଇ ତିନିଟା ବଗି ଚଲାପଥକୁ ଅବରୋଧ କରୁଛି । ଟିକଟ୍‌ କାଉଣ୍ଟର ପାଖରେ ବଡ ପଙ୍ଖାର ବ୍ୟବସ୍ଥା ନଥିବା ବେଳେ, ଛୋଟ ପଙ୍ଖାର ପବନ ଯାତ୍ରୀମାନଙ୍କୁ ପାଉନାହିଁ । ପାଦଚଲା ବ୍ରିଜ ଅତି ସଙ୍କିର୍ଣ୍ଣ ହୋଇଥିବାରୁ ଦୁଇଟି ଟ୍ରେନ ଲାଗିଲେ ବ୍ରିଜ ଉପରେ ବୟସ୍କ ବ୍ୟକ୍ତି ଓ ମହିଳା ଯାତ୍ରୀ ଆଦି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତ୍ରିକାଳିନ ଟ୍ରେନ ଚଳାଚଳ ସମୟରେ ୨ ନଂ. ଏବଂ ୩ ନଂ. ପ୍ଲାଟଫର୍ମରେ ଇଞ୍ଜିନ ପାଖ ତିନୋଟି ବଗି ପାଖରେ ଷ୍ଟେସନର ଲାଇଟ ଜଳୁନାହିଁ, ଆରପିଏଫ୍‌ ଲୋକ ମଧ୍ୟ ନ ଥିବା ଯୋଗୁଁ ଯାତ୍ରୀମାନେ ନିଜକୁ ଅସହାୟ ମାନୁଛନ୍ତି, ଷ୍ଟେସନରେ ବେଟ୍ରିକ୍‌ ଚାଳିତ ଗାଡି ନାହିଁ, ଯାତ୍ରୀମାନଙ୍କ ଠାରୁ ଟିକଟ୍‌ ମାଧ୍ୟମରେ ରେଳବାଇ କୋଟି କୋଟି ଟଙ୍କା ପାଉଥିବା ସ୍ଥଳେ ଯାତ୍ରୀଙ୍କୁ ନ୍ୟୁନତମ ସୁବିଧା ଯୋଗାଇ ଦେଉନାହିଁ, ଷ୍ଟେସନରେ ବୁକ୍‌ଷ୍ଟଲଟେ ମଧ୍ୟ ନାହିଁ, ଷ୍ଟେସନ ଭିତରେ ବୁଲା କୁକୁରଙ୍କ ଅବାଧ ପ୍ରବେଶ, ୨୦୨୧ ରେ ଲିଫ୍ଟ କାମ ଆରମ୍ଭ ହେବ ବୋଲି ଲୋକଙ୍କୁ ସ୍ୱପ୍ନ ଦେଖାଇ ଭୁଆ ବୁଲାଉଛନ୍ତି । ପରିଦର୍ଶନ ସମୟରେ କାର୍ଯ୍ୟକାରିଣୀ ସଭ୍ୟ ହିତେଶ ସାହୁ, ସଭ୍ୟ ମୋତିଲାଲ ସାହୁ, ଶ୍ରବଣ ପ୍ରଧାନ, ଓମ୍‌ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥାଇ ଯଥା ସମ୍ଭବ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା, ପ୍ଲାଟଫର୍ମ, ୱେଟିଂରୁମ୍‌ କୁ ସର୍ବଦା ସଫା ରଖିବା, ବିଶେଷ କରି ରାତ୍ରିକାଳିନ ଟ୍ରେନ କୋଚ ପୋଜିସନ ଏବଂ ସାଧାରଣ ବଗି କେଉଁଠି ଲାଗୁଛି ମାଇକ ରେ କହିବା ପାଇଁ ବଲାଙ୍ଗିର ସ୍ଥିତ ରେଳ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ବାରମ୍ବାର ଦାବୀ ସତ୍ତେ୍ୱ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବା ଯୋଗୁଁ ଏବଂ ଏ ସବୁ ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଏକ ବଡ ଧରଣର ଆନ୍ଦୋଳନ ହୋଇପାରେ ବୋଲି ସଭାପତି ପ୍ରଫେସର ତରୁଣ ମିଶ୍ର ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.