- ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି : ପ୍ରଧାନମନ୍ତ୍ରୀ
- ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସବୁମତେ ଉଦ୍ୟମ କରାଯିବ : ପ୍ରଧାନମନ୍ତ୍ରୀ
- ହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
- ଘଟଣାର ତୁରନ୍ତ ତଦନ୍ତ ସାରିବା ସହିତ ଦୋଷୀଙ୍କ ବିରୋଧରେ ସକ୍ରିୟ ଓ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
- ଉଦ୍ଧାର ଓ ସହାୟତା କାର୍ୟ୍ୟ ସହିତ ଯଥାଶୀଘ୍ର ରେଳଧାରଣା ମରାମତି ପାଇଁ ରେଳବାଇ କାର୍ଯ୍ୟ କରୁଛି ବୋଲି କହିଲେ ପ୍ରଧାନମନ୍ତ୍ରୀ
- ସକ୍ରିୟତାର ସହିତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରିଥିବାରୁ ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, (ପିଆଇବି) : ବାଲେଶ୍ୱର ବାହାନଗାରେ ଦୁଃଖଦ ରେଳ ଦୁର୍ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଉଦ୍ଧାର ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସହିତ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ଗୁଡ଼ିକରେ ଯାତ୍ରା କରୁଥିବା ବିଭିନ୍ନ ରାଜ୍ୟର ବାସିନ୍ଦା ଏହି ହୃଦୟ ବିଦାରକ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାତ୍ରୀମାନଙ୍କର ଜୀବନହାନି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସବୁମତେ ଉଦ୍ୟମ କରାଯିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହି ଦୁଃଖଦ ଘଟଣାର ଉଚିତ୍ ଏବଂ ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀ ସାବ୍ୟସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସକ୍ରିୟ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାତି ସାରା ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ରହିଥିବା ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଆହତମାନଙ୍କୁ ସାହାଯ୍ୟ କରିବା ଲାଗି ରକ୍ତଦାନ ନିମେନ୍ତ ବହୁସଂଖ୍ୟାରେ ଆଗେଇ ଆସିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ଉଦ୍ଧାର ଓ ସହାୟତା କାର୍ଯ୍ୟ ସହିତ ଯଥାଶୀଘ୍ର ରେଳଧାରଣା ମରାମତି ପାଇଁ ରେଳବାଇ କାର୍ୟ୍ୟ କରୁଛି । ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ଉଦ୍ଧାରକାରୀ ବାହିନୀ ଏବଂ ରେଳ ଅଧିକାରୀଙ୍କ ସହିତ କଥା ହୋଇ ପ୍ରଧାନମନ୍ତ୍ରୀ ଏହି ହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।