ଭୁବନେଶ୍ୱର : ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା । ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । FMଛାତ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ରାହୁଲ । ସେ କହିଛନ୍ତି ଯେ ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ । କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା । ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଠେଲି ଚାଲିଯାଇଥିଲେ । ସେ ଆହୁରି କହିଛନ୍ତି ‘ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା । ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା । ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା । ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର – ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି । ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି । ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଏହା ଉତ୍ତର ଚାହେଁ । ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି ।‘
