ହରିଶଙ୍କର ପାହାଡ଼ରେ ଗଳିତ ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିର ନିକଟରୁ ପ୍ରାୟ ୮୦୦ ମିଟର ଦୂର ପାହାଡ଼ ଉପରେ ଜଣେ ଅପରିଚିତ ପୁରୁଷଙ୍କ ଗଳିତ ଶବ ମିଳିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଚାହାର ଗଛରେ ଗୋଟିଏ ଗାମୁଛା ସାହାଯ୍ୟରେ ଫାଶୀ ଲଗାଇ ମୃତଦେହଟି ଝୁଲୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେସଙ୍ଗେ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଛାନଭିନ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ମୃତକର ଡାହାଣ ବାହୁରେ ହନୁମାନଙ୍କ ଗୋଟିଏ ଟାଟୁ ଥିବା ବେଳେ ବାମ ହାତରେ ଫୁଲର ଟାଟୁ ତିଆରି ହୋଇଥିବା ଜଣା ପଡିଛି, ଏହା ହତ୍ୟା ନା ଆତ୍ମହତ୍ୟା—ସେନେଇ ରହସ୍ୟ ଘନୀଭୂତ ହୋଇଛି । ଏହି ଘଟଣା ସମ୍ପର୍କରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର କହିଛନ୍ତି ଯେ, ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ ଚାଲିଛି ଏବଂ ମରଣର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.