ଅଁଳା ନବମୀରେ ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେଉଛି ପବିତ୍ର ଅଁଳା ନବମୀ । ଏହି ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସକାଳୁ ସକାଳୁ ରାଧାପାଦ ଦର୍ଶନ ନିମନ୍ତେ ଧାଡ଼ିରେ ଛୁଟିଛନ୍ତି ଶ୍ରଦ୍ଧାଳୁ । କରୋନା ପାଇଁ ଦୁଇ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁ ମାନେ ବେଶ୍‌ ଖୁସି ମନେ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି । ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ରି ଗୋଟାଏ ସମୟରେ ଦ୍ୱାରଫିଟା ନୀତି ପାଳନ ହୋଇଥିଲା । ଏହାପରେ ସାଢେ ଗୋଟାଏରେ ମଙ୍ଗଳ ଆଳତି, ସାଢେ ଗୋଟାଏରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ନଟବର ବେଶ ଅନୁଷ୍ଠିତ ହୋଇଥିଲା । ଭୋର ସାଢେ ୫ଟାରେ ମନ୍ଦିର କର୍ମଚାରୀ ଓ ସେବାୟତ ଦର୍ଶନ କରିଥିଲେ । ପରେ ସକାଳ ୬ଟାରୁ ଦର୍ଶନ ଚାଲିଛି । ଏହି ଦର୍ଶନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ପୁଣିଥରେ ସଂଧ୍ୟା ୬ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ।

Leave A Reply

Your email address will not be published.