ଚୋରା ବାଇକ ରାକେଟ ଠାବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି । ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳରେ ଦିନକୁ ଦିନ ବାଇକ ଚୋର ବୃଦ୍ଧି ପାଉଥିବା ବେଳେ ନୂଆପଡା ଏସ୍‌ପି ଜି. ଆର୍‌. ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରଯାଇ ତନାଘନା ତଦନ୍ତ ପରେ ୧୫ ଗୋଟି ଚୋରା ବାଇକ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୪ ଜଣ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଚୋରମାନେ ହେଲେ ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ ୭ର ପ୍ରଶାନ୍ତ କୁମାର, ଲୋହରାପାଲି ଗାଁର ବିକାଶ ନାଗ, ଶାଗୁନଡ଼ଙ୍ଗରି ଗାଁର ଅଭିନାଶ ନାଗ ଏବଂ ଖଡ଼ିଆଳ ଏନ୍‌ଏସି ପୁଟୁପଡ଼ାର ପିଣ୍ଟୁ ଝା ବୋଲି ଖଡ଼ିଆଳ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଅତିରିକ୍ତ ଏସ୍‌ପି ରଂଜିତ ନାୟକ ସୂଚନା ଦେଇଛନ୍ତି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ୮ ତାରିଖ ଦିନ ଖଡ଼ିଆଳ ଥାନା ଖଇରପଦର ଗାଁର ଜୟଦେବ ପଣ୍ଡାଙ୍କ ଘର ସାମନାରୁ ଏକ ବାଇକ ଚୋରି ହୋଇଥିଲା । ଉକ୍ତ ମାମଲା ଆଧାର କରି ପୋଲିସର ତନାଘନା ତଦନ୍ତ ପରେ ପ୍ରଥମେ ପ୍ରଶାନ୍ତ କୁମାରଙ୍କୁ ଗିରଫ କରି ପଚରା ଉଚୁରା ପରେ ବାଇକ ରାକେଟ ଘଟଣାର ପର୍ଦ୍ଦାଫାସ କରିବା ସହ ଖଡ଼ିଆଳ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୧୫ ଗୋଟି ଚୋରା ବାଇକ ଜବତ କରିବା ସହ ଚାରିଜଣ ବାଇକ ଚୋରଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.