- ଉତ୍ତମ ଭବିଷ୍ୟତ ପାଇଁ ଗୁଣାତ୍ମକ ଧାରଣା ପ୍ରତିପୋଷଣ ପାଇଁ ଆହ୍ୱାନ
ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ଛେଣ୍ଡ ସ୍ଥିତ ରିମ୍ସର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତମ ଭବିଷ୍ୟତ ପାଇଁ ଗୁଣାତ୍ମକ ଧାରଣା ପ୍ରତିପୋଷଣ କରିବାକୁ ଅତିଥିମାନେ ଆହ୍ୱାନ କରିଛନ୍ତି । ସମ୍ପ୍ରତି ପ୍ରତିଯୋଗିତାମୂଳକ ବଜାରରେ ପ୍ରତେକ କ୍ଷେତ୍ରରେ ଗୁଣାତ୍ମକ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ହେବ । ବିଶେଷ କରି ଉତ୍ପାଦକତା କ୍ଷେତ୍ରରେ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଅତିଥିମାନେ କହିଛନ୍ତି । ପ୍ରଥମ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଝାରସୁଗୁଡା ସ୍ଥିତ ବେଦାନ୍ତ ଲିମିଟେଡ଼ର ସି.ଓ.ଓ (ପାୱାର) ଅଜୟ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫ୍ୟାକ୍ଟ୍ରି ଓ ବୟେଲର ବିଭାଗର ଡେପୁଟି ଡିରେକ୍ଟର ଇଂ ବିଭୁ ପ୍ରସାଦ, ରିମ୍ସର ନିର୍ଦ୍ଦେଶକ ଡଃ କେ. କେ ପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆର.ଏସ୍.ପି (ୱାର୍କସ) ବିଭାଗର ଇଡି ତଥା କ୍ୟୁସିଏଫ୍ଆଇ ରାଉରକେଲା ଚାପ୍ଟର୍ର ଚେୟାରମ୍ୟାନ ଇଂ. ଏସ୍ଆର୍ ସୂର୍ଯ୍ୟବଂଶୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କ୍ୟୁସିଏଫ୍ଆଇ ରାଉରକେଲା ଚାପ୍ଟରର ଭାଇସ୍ ଚେୟାରମ୍ୟାନ ତଥା ବେଦାନ୍ତର ଅନ୍ୟତମ ଉପାଧ୍ୟକ୍ଷ ବିବେକ ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ୩୧ତମ ଏହି ଆଲୋଚନାଚକ୍ରରେ ୧୯୭ ସର୍କଲର ପ୍ରାୟ ୯୦୦ ପ୍ରତିଯୋଗୀ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଆବାହକ ତଥା ରାଉରକେଲା ଶାଖାର ସଂପାଦକ ସୁରେଶ ଚନ୍ଦ୍ର ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କ୍ୟୁସିଏଫ୍ଆଇ ରାଉରକେଲା ଚାପ୍ଟରର ଯୁଗ୍ମ ସମ୍ପାଦକ ଅଶୋକ ଜେନା ଓ କୋଷାଧ୍ୟକ୍ଷ ସି. ସାମଲ ସଂଯୋଜନା କରିଥିଲେ । ଅଙ୍କିତା ବିଲୁଙ୍ଗ ମଂଚ ସଂଚାଳନ କରିଥିଲେ । ଦ୍ୱିତୀୟ ଦିବସରେ ବେଲପାହାଡ ଟିଆର୍ଏଲ୍ର ବରିଷ୍ଠ ଉପସଭାପତି ଡ ରାଜେଶ ସିଂ, ରାଉରକେଲା ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ସୁନିଲ୍ କୟାଲ, ଆର୍ଏସ୍ପିର ମହାପ୍ରବନ୍ଧକ ଏସି ସରକାର ଓ ଟିଆର୍ଏଲ୍ର ମହାପ୍ରବନ୍ଧକ ଏସ୍କେ ସୁବୁଦ୍ଧି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସୁରକ୍ଷା, ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଉତ୍ପାଦନ, ଗୁଣାତ୍ମକ ଶିକ୍ଷା ଆଦି ସଂପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ଓ ପି ଅଗ୍ରୱାଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସିଂ ଉତ୍କୃଷ୍ଟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନମାନଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପ୍ରଦାନ କରିଥିଲେ । ଏହି ପଦକ ହାସଲ କରିଥିବା ପ୍ରତିଯୋଗୀମାନେ ଆସନ୍ତା ଡିସେମ୍ବରରେ ନାଗପୁରରେ ହେବାକୁ ଥିବା ଜାତୀୟ ସେମିନାରରେ ଯୋଗଦେବେ । ରିମ୍ସର ନିର୍ଦ୍ଦେଶକ ଡ ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ସୁରେଶ ଚନ୍ଦ୍ର ପ୍ରସାଦଙ୍କ ତତ୍ୱାବଧାନରେ ଓ ଏକେ ଜେନା ତଥା ସି ସାମଲଙ୍କ ସହଯୋଗରେ ପରିଚାଳିତ ହୋଇଥିଲା ।