ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଆନୁକୂଲ୍ୟରେ ସୁଲେଖିକା ଡ. ସୁନୀତି ମୁଣ୍ଡଙ୍କ ଏକ ଅନନ୍ୟ ଆଲୋଚନା ପୁସ୍ତକ ସଶକ୍ତ ଓ ବିକଶିତ ଭାରତ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଉନ୍ମୋଚିତ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ରାଜୀବ ପାଣିଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ମ୍ୟୁନିସିପାଲ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଛେଣ୍ଡ ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ, ପ୍ରାକ୍ତନ ପ୍ରଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ପୁସ୍ତକ ଉପରେ ଆଲୋଚନା କରି ମୁଖ୍ୟ ଅତିଥି ଡ. ପ୍ରଧାନ କହିଲେ ଯେ, ବିକାଶ କହିଲେ ଆର୍ଥିକ ଭିତ୍ତିଭୂମି ବିକାଶକୁ ବୁଝାଯାଏ ନାହିଁ । ଭିତ୍ତିଭୂମି ସହିତ ସୁସ୍ଥ ପରିବେଶ, ସୁନ୍ଦର ପରିବାର, ସାମାଜିକ ସଦଭାବ ପୂର୍ଣ୍ଣ ସମାଜ, ସ୍ୱଦେଶୀ ମନୋଭାବର ଜାଗରଣ ଓ ନାଗରିକ ଶିଷ୍ଟାଚାର ପାଳନ ଦ୍ୱାରା ସମନ୍ୱିତ ବିକଶିତ ଭାରତ ଗଠନ ହୋଇପାରିବ । ଏଥିପାଇଁ ଏକ ସୁନ୍ଦର ଶିକ୍ଷା ବ୍ୟବସ୍ଥା ପ୍ରଣୟନର ଆବଶ୍ୟକ । ସମ୍ମାନିତ ଅତିଥି ଶ୍ରୀମତୀ କବିଶତପଥୀ ତାଙ୍କ ବକ୍ତବ୍ୟରେ ଆଧ୍ୟାତ୍ମିକ ବିକାଶ ହିଁ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିବ ଓ ଅନ୍ୟତମ ଅତିଥି ଶ୍ରୀ ଗୋସ୍ୱାମୀ ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ପାଣି, ଡ. ମୁଣ୍ଡଙ୍କ ପରିଚୟ ଓ ତାଙ୍କ ରଚିତ ପୁସ୍ତକ କିପରି ସାମ୍ପ୍ରତିକ ପରିସ୍ଥିତିରେ ଆବଶ୍ୟକତା ସେ ସମ୍ପର୍କରେ ମତ ରଖିଥିଲେ । ସଭାପତି ଶ୍ରୀ ପଟ୍ଟନାୟକ ସଭାପତିତ୍ୱ ଅଭିଭାଷଣ ସହ ଡ. ମୁଣ୍ଡଙ୍କ ପୁସ୍ତକ ସମାଜକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ମତ ରଖିଥିଲେ । ଏହି ଅବସରରେ ଲେଖିକା ଡ. ମୁଣ୍ଡ ପୁସ୍ତକ ସମ୍ପର୍କରେ ଆଲୋଚନା କରି ନିଜ ଅଭିଜ୍ଞତା ଓ ଅନୁଭୁତିରୁ ଏହା ପ୍ରସ୍ତୁତ ବୋଲି କହିଥିଲେ । ଶେଷରେ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ଶତାଧିକ ସାହିତ୍ୟିକ, କବି, ସମାଲୋଚକ ତଥା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।