jayashree

ସୁଜିତ କୁମାର ସତପଥିଙ୍କ ଦ୍ୱାରା ଲିଖିତ ଆଲୋଚନା ପୁସ୍ତକ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୀଣାପାଣି ପ୍ରକାଶନ କାର୍ଯ୍ୟାଳୟରେ କବି ସଂଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ସୁଜିତ କୁମାର ସତପଥିଙ୍କ ଦ୍ୱାରା ଲିଖିତ ଆଲୋଚନା ପୁସ୍ତକ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ” ଉନ୍ମୋଚିତ ହୋଇଯାଇଛି । କବିତାର ଧାର ସର୍ବଦା ପ୍ରବାହିତ । କେବେ ଅନ୍ତସଲୀଳା ଫଲଗୁ ତ କେବେ ପୁଣି ଉଚ୍ଛ୍ୱାସ ଭରା ବେଗବତୀ ନଦୀ । କବିତା ଭିତରେ ମାନବୀୟ ସମ୍ବେଦନଶୀଳତା ସବୁ କାଳରେ ପାଠକୀୟ ଚେତନାକୁ ଆଲୋକିତ କରେ । କବି ସଂଜୟଙ୍କ କବିତାର ସାମଗ୍ରିକ ଦିଗକୁ ନେଇ ସୁଜିତ ସତପଥିଙ୍କ ଆଲୋଚନା ପୁସ୍ତକ ଆଜିର ସମୟର ଆବଶ୍ୟକତା । ତେଣୁ ଏହି ପରି ଆଲୋଚନା ଆମ ଅଂଚଳର ସାରସ୍ୱତ ପରଂପରାକୁ ପୁଷ୍କଳ କରିବ ବୋଲି ଆଲୋଚକମାନେ ମତ ଦେଇଛନ୍ତି । କବି ସୁଜିତଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଅକଳିତ ଆକଳନ ଏବଂ ପ୍ରଫେସର ଡ. ଆଦିକନ୍ଦ ସାହୁଙ୍କ ଆପଣାକୁ ଯିଏ ବ୍ୟକ୍ତ କରେ ସେ ହିଁ ସୁଲେଖକ ନାମକ ଦୁଇଟି ଆଲୋଚନା ମଧ୍ୟ ପ୍ରକାଶିତ ହୋଇଛି । କାର୍ଯ୍ୟକ୍ରମରେ ଅଧ୍ୟାପକ କୌତୁକ ପନ୍ଦର, କବି ଜ୍ୟୋତି ରଂଜନ ମିଶ୍ର, ଡ. ଜଗନ୍ନାଥ ସାହୁ, ଗଣେଷ ବାରିକ, ରତ୍ନମୟ ତ୍ରିପାଠି, ମଧୁସୁଦନ ନେଗୀ, ଅନନ୍ତ ବିଶ୍ୱାଲ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଅରୁଣ ଖୁଆସ, ଶିକ୍ଷକ ରଂଜିତ ମିଶ୍ର ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟର କବି ଲେଖକଙ୍କ କୃତି ଉପରେ ଆଲୋଚନା ଏ ସମୟର ଏକାନ୍ତ ଆବଶ୍ୟକତା ବୋଲି କହିବା ସହ କବି ସଂଜୟଙ୍କ କବିତା ଆଞ୍ଚଳିକ ଭାବ ଓ ଚିତ୍ରର ସମାହାର ବୋଲି କହିଥିଲେ । ପ୍ରକାଶକ ଅଜିତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.