୧୯ତମ ବରଗଡ ପୁସ୍ତକ ମେଳା : ଜନବାଦୀ ସାହିତ୍ୟ ଆଲୋଚନାରେ କମ୍ପିଲା ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ

ବରଗଡ, (କେପିଏନ୍‌ଏସ୍‌) : ୧୯ତମ ବରଗଡ ପୁସ୍ତକ ମେଳା ଗତ ୨୦ ତାରିଖରୁ ସ୍ଥାନୀୟ ଜଜ୍‌ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଥିବା ବେଳେ ‘କୋଶଲୀ – ସମ୍ବଲପୁରୀ ଭାଷାରେ ଜନବାଦୀ ସାହିତ୍ୟ’ ଆଲୋଚନାରେ କମ୍ପିଛି ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ । ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଏହି ସଭାରେ ଅଧ୍ୟାପକ ତଥା ସୁସାହିତ୍ୟିକ ମୋହନ ସାହୁ ସଭାପତିତ୍ୱ କରିଥିବା ବେଳେ ‘କୋଶଳ ପ୍ରବାହ’ର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଏବଂ ଅଧ୍ୟାପକ ବିଶ୍ୱନାଥ ସାହୁ ଆଲୋଚକ ଭାବେ ଯୋଗଦାନ କରିଥିଲେ । ମଞ୍ଚ ସଂଚାଳନ ଦାୟିତ୍ୱ ବହନ କରିଥିଲେ ଗୌରୀ ଶଙ୍କର ପଣ୍ଡା । ଆଲୋଚକ ‘କୋଶଳ ପ୍ରବାହ’ର ସମ୍ପାଦକ ଶ୍ରୀ ସାହୁ ଆମ ଭାଷା ସାହିତ୍ୟରେ ଜନବାଦୀ ସ୍ୱର ଅତ୍ୟନ୍ତ ପ୍ରଖର ବୋଲି ମତ ଦେଇଥିବା ବେଳେ ସାହିତ୍ୟର ବିଭିନ୍ନ ଦିଗକୁ ସ୍ପର୍ଶ କରି ପ୍ରାଞ୍ଜଳ ଭାବେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନ୍ୟତମ ଆଲୋଚକ ଶ୍ରୀ ସାହୁ ଜନବାଦୀ ସାହିତ୍ୟର ଭୂମି ଓ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ସାହିତ୍ୟିକ ଶ୍ରୀ ସାହୁ ଆମ ଭାଷା ସାହିତ୍ୟରେ ମାଟି ମନସ୍କତା ଅତ୍ୟନ୍ତ ଶାଣିତ ବୋଲି ସଭାପତିତ୍ୱ ଅଭିଭାଷଣରେ ମତ ଦେଇଥିଲେ । ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାକୁ ବରଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ଡନସନା ଉଦ୍‌ଘାଟନ କରିଥିବା ବେଳେ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ସଂସ୍କାର ଇଣ୍ଟରନେସନାଲ ସ୍କୁଲର ଛାତ୍ରଛାତ୍ରୀ ମାନେ ।

jittmm
Leave A Reply

Your email address will not be published.