ସଇଁନ୍ତଲା, (ଅଜିତ କୁମାର ସାହୁ) : ରାତିରେ ମହାଲିଙ୍ଗ କଲେଜରେ ମନ୍ତ୍ରୀମାନେ କଣ ପାଇଁ ରହୁଥିଲେ ? ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ମହାଲିଙ୍ଗ କଲେଜର ଜଣେ ପୂର୍ବତନ ଛାତ୍ର । ସେ ସୋସାଲ୍ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁର ପାପ ପେଡ଼ି ଖୋଲିଛନ୍ତି । ଆଉ ଛାତ୍ର ଅବସ୍ଥାରେ କଣ ପାଇଁ ମୁହଁ ଖୋଲିନଥିଲେ, ତାହାର ମଧ୍ୟ ଉତ୍ତର ରଖିଛନ୍ତି ।ସୋସାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଭିଡ଼ିଓରେ ଛାତ୍ର ଜଣକ କହିଛନ୍ତି ପଇସାର ପାହାଡ଼ ଉପରେ ବସିଛି ଗୋବିନ୍ଦ । ଭାବୁଥିଲା ତାକୁ କେହି ଛୁଇଁ ପାରିବେ ନାହିଁ । ବୋଧହୁଏ ଏହା ତାର ଭୁଲ୍ ଧାରଣା ଥିଲା । ଦିନେନା ଦିନେ ସତ ବାହାରକୁ ଆସିବ । ଆଉ ସତ ବାହାରକୁ ଆସିଲା ଓ ଖୋଲିଲା ପାପ ପେଡ଼ି ବୋଲି ଛାତ୍ର ଜଣକ କହିଛନ୍ତି । ଛାତ୍ର ଜଣକ ଆହୁରି ମଧ୍ୟ କହିଛନ୍ତି, ମହାଲିଙ୍ଗ ସ୍କୁଲର ଦାୟିତ୍ୱ ଥିଲା ପିଲାଙ୍କୁ ପାଠ ପଢ଼ାଇ ଭଲ ରାସ୍ତା ଦେଖାଇବା, ହେଲେ ଗର୍ଲସ୍ ହଷ୍ଟେଲ୍ରେ ଗୋବିନ୍ଦ ନାଟ କରୁଥିଲା । ସ୍କୁଲର କୌଣସି କଥା ବାହାରକୁ ନଆସିବ, ସେଥିପାଇଁ କଡ଼ା ନିୟମ କରିଥିଲା । ଯେଉଁଥି ପାଇଁ କଲେଜ ଭିତରେ ପୁଅ ଓ ଝିଅ କଥା ହୋଇପାରୁନଥିଲେ, ତେବେ ଏଠି ପ୍ରଶ୍ନ ଉଠୁଛି କଲେଜ କ୍ୟାମ୍ପସରେ ଯଦି ପୁଅ ଓ ଝିଅ କଥା ହୋଇ ପାରୁନଥିଲେ, ତାହାହେଲେ କଲେଜରେ ରାତିରେ କଣ ପାଇଁ ମନ୍ତ୍ରୀମାନେ ରହୁଥିଲେ ? ବୋଧହୁଏ ଷ୍ଟୁଡେଣ୍ଟମାନଙ୍କୁ ସ୍ପେଶାଲ ଜ୍ଞାନ ଦେଉଥିଲେ ବୋଲି ଛାତ୍ର ଜଣକ ଭାଇରାଲ୍ ଭିଡ଼ିଓରେ କହିଛନ୍ତି । ସ୍କୁଲରେ ଜଣେ ମାଡ଼ାମ ସେମାନଙ୍କୁ ସହଯୋଗ କରୁଥିଲେ । ଆମେ ସବୁ ଜାଣି ମଧ୍ୟ କିଛି କହିପାରୁନଥିଲୁ । କାରଣ, କଲେଜରୁ ବାହାର କରିଦେବାର ଡ଼ର ଓ ମାର୍କ ଚିନ୍ତା ଆମକୁ ଘାରିଥିଲା ବୋଲି ଛାତ୍ର ଜଣକ କହିଛନ୍ତି । ଆମେ ନ କହିଲୁ ନାହିଁ, କେହି ଜଣେ ତ ସତ କଥା କହିଲା । ହେଲେ ତାଙ୍କୁ ଜୀବନ ଦେବାକୁ ପଡ଼ିଲା ବୋଲି ଛାତ୍ର ଜଣକ କହିଛନ୍ତି ।