ଲାଞ୍ଚ ମାମଲାରେ ଆଗଲପୁର ତହସିଲର ପୂର୍ବତନ ସେକ୍ସନ ଅଫିସର ଦଣ୍ଡିତ

ଲୋଇସଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ମସିହାରେ ବେଇଆନ ବାଲି ଗଚ୍ଛିତ ଓ ଚାଲାଣ ପାଇଁ ଲାଗୁ ହୋଇଥିବା ଜରିମାନାକୁ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଗଲପୁର ତହସିଲର ତତ୍କାଳୀନ ସେକ୍ସନ ଅଫିସର କିଶୋରଚନ୍ଦ୍ର ଖର୍ସେଲ ବଲାଙ୍ଗିର ଭିଜିଲାନ୍ସ ହାବୁଡରେ ପଡିଥିଲେ । ଏହି ମାମଲାରେ ଶ୍ରୀ ଖର୍ସେଲଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ସ୍ଵତନ୍ତ୍ର ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ଓଡିଶା ଭିଜିଲାନ୍ସ ବିଭାଗ ଦୋଷୀ ସାବ୍ୟସ୍ତ ଖର୍ସେଲଙ୍କ ପେନସନ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ସୂଚନା ମତେ, ଆଗଲପୁର ବ୍ଲକର ଜନୈକ ଟ୍ରାକ୍ଟର ମାଲିକ ତାଙ୍କ ଟ୍ରାକ୍ଟରରେ ଅବୈଧ ଭାବେ ବାଲି ପରିବହନ ଓ ନିଜ ବ୍ୟବହାର ପାଇଁ ବାଲି ମହଜୁଦ କରିବା କାରଣରୁ ତହସିଲ ପକ୍ଷରୁ ମୋଟା ଅଙ୍କର ଜରିମାନା ପକାଯାଇଥିଲା । ସେହି ଜରିମାନା ଅର୍ଥ ଛାଡ ପାଇଁ କୁଆଡ଼େ ସେକ୍ସନ ଅଫିସର ଶ୍ରୀ ଖର୍ସେଲ ସେତେବେଳେ ଟ୍ରାକ୍ଟର ମାଲିକଙ୍କ ଠାରୁ ୩୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ସମ୍ପୃକ୍ତ ଟ୍ରାକ୍ଟର ମାଲିକ ବଲାଙ୍ଗିର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେବା ସହିତ ଦାବି ମୁତାବକ ଟଙ୍କା ସେକ୍ସନ ଅଫିସର ଖର୍ସେଲଙ୍କୁ ଦେଇଥିଲେ । ଏହି ସମୟର ସେକ୍ସନ ଅଫିସର ଶ୍ରୀ ଖର୍ସେଲଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା । ସମ୍ୱଲପୁର ଭିଜିଲାନ୍ସ ପିଏସ୍ କେସ ନଂ-୧୪ ରେ ଉପରୋକ୍ତ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ଵାରା ଚାର୍ଜସିଟ୍ ଦାଖଲ କରାଯାଇଥିଲା । ସଂପ୍ରତି ଆଗଲପୁର ତହସିଲ ଅଞ୍ଚଳରେ ବେଆଇନ ବାଲି ପରିବହନ ବୃଦ୍ଧି ପାଇବାରେ ଉପରୋକ୍ତ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.