
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ହିର୍ଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଭିତରକୁ ପଶି ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି । ଘଟଣାରେ ୩ଜଣ ଗୁରୁତର ହୋଇଥିବବେଳେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଗୁରୁତରମାନେ ହେଲେ ହିର୍ଲି ଗାଁର ଭୈରବ ସାହୁ, ସ୍ତ୍ରୀ ଭୂମିସୁତା ସାହୁ ଏବଂ ମାଁ ଚଞ୍ଚଳା ସାହୁ । ନିଜ ଦୋକାନରେ ଭୈରବ ସାହୁ ବସିଥିବା ବେଳେ ୩ଜଣ ଘରଭିତରକୁ ପଶିଯାଇ ଆକ୍ରମଣ କରିଥିଲେ । ସ୍ତ୍ରୀ ଓ ମାଁ ଛଡ଼ାଇବାକୁ ଯିବାବେଳେ ଆକ୍ରମଣର ଶିକାର ହୋଇଥିଲେ । ଜମିବାଡ଼ି ମାମଲା ନେଇ ପୂର୍ବରୁ ଶତ୍ରୁତା ଥିବା ଗୁରୁତର ମାନଙ୍କ ଠାରୁ ସୂଚନା ମିଳିଛି । ଗୁରୁତର ମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣିଥିବା ସୂଚନା ମିଳିଛି ।