ଭୁବନେଶ୍ୱର, (କେପିଏନ୍ଏସ୍) : ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା-୨୦୨୨ ନଭେମ୍ବର ୧୦ରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦ୍ଯାପିତ ହୋଇଯାଇଛି । ଏହି ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆଠ ଜଣ ବିଶିଷ୍ଟ ପ୍ରସ୍ତର ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ପଠାଯାଇଥିଲା । ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିନବ ପ୍ରଦର୍ଶନ ପାଇଁ ଓଡ଼ିଶା ଷ୍ଟଲକୁ ଦ୍ୱିତୀୟ ପୁରସ୍କାର ପ୍ରାପ୍ତ ହୋଇଛି । ଉଦ୍ଯାପନ ସମାରୋହରେ ରାଜସ୍ଥାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀମତୀ ଶକୁନ୍ତଳା ରାୱତଙ୍କଠାରୁ ଏହି ସମ୍ମାନ ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଗ୍ରହଣ କରିଛନ୍ତି ।