ଘୁନସର ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିକାଶ ଦାସ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଘୁନସର ସରପଞ୍ଚ ପ୍ରତିନିଧି ଜ୍ୟୋତିଷ ସାହୁ, ବସନ୍ତ ପଧାନ, ନାଏବ ସରପଞ୍ଚ କଳ୍ପତରୁ ମାଝୀ, ସମାଜସେବୀ ଜଳଧର ତାଣ୍ଡି, ଦେବରାଜ ପଧାନ, ଜୀବର୍ଦ୍ଧନ ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପୂର୍ବତନ ଛାତ୍ର ଗିରିଧାରୀ ମାଝୀ ଓ ଲମ୍ବୋଧର ଧରୁଆଙ୍କୁ ଭାରତୀୟ ସୈନ୍ୟ ବିଭାଗରେ ଚାକିରି ମିଳିଥିବାରୁ ଏବଂ ପ୍ରଥମ କରି ଘୁନସର ନିଜ ଘରକୁ ଫେରିଥିବାରୁ ତାଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବତା ନିଜର ବ୍ୟକ୍ତିଗତ ପାଣ୍ଠିରୁ (ନିଜ ଦରମାରୁ )ପ୍ରତି ମାସରେ ନବମ ଓ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର ଛାତ୍ରୀଙ୍କୁ ଚୟନ କରି ‘Best Student of the Month’ ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଥିଲେ । ଏନେଇ ଚଳିତ ଅଗଷ୍ଟ ମାସରେ ଏହି ପୁରସ୍କାର ଦଶମ ଶ୍ରେଣୀର ଡିଲେଶ୍ଵରୀ ମାଝୀ ଏବଂ ନବମ ଶ୍ରେଣୀର ଶୁଭମ ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ । ଏହି ପୁରସ୍କାର ରାଶିକୁ “ବିଦ୍ୟାବାନ ଭବଃ “ନାମରେ ପ୍ରଧାନ ଶିକ୍ଷକ ଘୋଷଣା କରିଥିଲେ । ପ୍ରକାଶ ଥାଉକି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବତାଙ୍କ ଏପରି ଛାତ୍ରଛାତ୍ରୀ ସମ୍ବୋଧନକୁ ଏବଂ ଘୁନସର ସରପଞ୍ଚ ଅନୁସୟା ସାହୁ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାତଟି ଗ୍ରାମରେ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଦେଢ଼ କ୍ୱିଣ୍ଟାଲ ମିଷ୍ଠାନ୍ନ ବଣ୍ଟନ କରିଥିବା ନେଇ ଅଞ୍ଚଳବାସୀ ଖୁବ ପ୍ରଶଂସା କରୁଥିବା ଜଣାପଡିଛି । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ ଉସତ ଗଡତ୍ୟା, ଝରଣା କର, ଗୌର ମାଝୀ, ରଥ ଗୁରୁ, ଡୋଳାମଣି ପଧାନ, କୃଷ୍ଣଧର ପାତ୍ର, କାନ୍ହୁ ଚରଣ ସାହୁ, ଦୁର୍ଯ୍ୟୋଧନ ସାହୁ, ଉମେଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.