ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପୁଣ୍ୟମାସ କାର୍ତ୍ତିକ । ମାସ ସାରା ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା କରି ଥାଆନ୍ତି । ଏହାସହିତ ପଞ୍ଚୁକ ୫ ଦିନ ସମସ୍ତ ଶ୍ରଦ୍ଧାଳୁ ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରନ୍ତି । ଭାଗବତ ପଠନ କରି ପୁଣ୍ୟ ଅର୍ଜନ କରନ୍ତି । ଏହି ଅବସରରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗାଁ ତଳିପଡା ବାସୀ ପଞ୍ଚୁକ ଚତୁର୍ଦ୍ଦଶୀରେ ଏକତ୍ରିତ ହୋଇଛନ୍ତି । ଭୋରରୁ ନିତ୍ୟକର୍ମ ସାରି ଭାଗବତ ମଣ୍ଡପରେ ଦର୍ଶନ କରିଛନ୍ତି । ଏହି ଅବସରରେ ଗାଁ ମୁଣ୍ଡରେ ଅନ୍ନଭୋଗର ବ୍ୟବସ୍ଥା ରହିଛି । ଯାହାକି ପଡାର ସମସ୍ତ ପରିବାର ଏକତ୍ରିତ ହୋଇ ଅନ୍ନପ୍ରସାଦ ସେବନ କରିବେ । ଏହି କ୍ରମରେ ଆଜି ପୂର୍ବାହ୍ନରୁ ଗାଁ ମୁଣ୍ଡରେ ଅନ୍ନଭୋଗର ବ୍ୟବସ୍ଥା ଅରୁଆ ଭାତ, ଡାଲି, ତରକାରୀ, ଶାଗ ପ୍ରଭୃତି ଭୋଗକୁ ଭାଗବତଙ୍କ ନାମରେ ଅଁଳା ଗଛ ମୂଳେ ସମର୍ପଣ କରିଛନ୍ତି । ପରେ ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ପଡା ମଣ୍ଡପରୁ ଆସିଛନ୍ତି । ସ୍ଵତନ୍ତ୍ର ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ନାମ ସଙ୍କୀର୍ତ୍ତନ ଓ ହୁଳହୁଳିରେ ପୂଜା ସ୍ଥଳ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ପଡାବାସୀ ଏକତ୍ରିତ ହୋଇ ଶେଷରେ ଅନ୍ନପ୍ରସାଦ ସେବନ କରିଛନ୍ତି । ଦୀର୍ଘ ୫୦ ବର୍ଷରୁ ଅଧିକ ହେଲା ଏହି ପଞ୍ଚୁକ ଚତୁର୍ଦ୍ଦଶୀ ଚାଲିଥିବା ବେଳେ ଗାଁରେ ମଧ୍ୟ ଆଜି ଏକ ଆଧ୍ୟାତ୍ମିକ ପରିବେଶ ଦେଖା ଯାଇଛି । ଏଥିରେ ପୂଜକ ଭାବେ ମୋହନ ଚରଣ ଦାସ ଦାୟିତ୍ଵ ନିର୍ବାହ କରିଥିବା ବେଳେ ବୟୋଜୈଷ୍ଠ ନଟବର ଧରୁଆ, ସତ୍ୟବାଦୀ ସାହୁ, ଗୋପାଳ ଧରୁଆ, ସୁରଥ ସାହୁ, ଧନ୍ସିଂ ଧରୁଆ, ହେମ ସାଗର ସାହୁ, ଲେକୃ ମଲ୍ଲିକଙ୍କ ସମେତ ସମସ୍ତ ପଡାବାସୀ ଉପସ୍ଥିତ ହୋଇ ସହଯୋଗ କରିଛନ୍ତି ।
Prev Post