-ପୀଠର ଉନ୍ନତିକରଣ ସହ ଲାଇଟ୍ ଓ ସିଡିର ବ୍ୟବସ୍ଥା ପାଇଁ ସରକାରଙ୍କୁ ନିବେଦନ କଲେ ସଭାପତି
ବରଗଡ଼, (ମୁନାସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମା’ ଦୁର୍ଗେଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମା’ ଙ୍କ ପୂଜନୋତ୍ସବ ମହାସମାରୋହରେ ଡିସେମ୍ବର ମାସ ୪ ତାରିଖରୁ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେନେଇ ସଭାପତି ମଧୂସୁଦନ ପାଣ୍ଡେ ଅଞ୍ଚଳର ତଥା ଓଡ଼ିଶାର ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ମା’ ଦୁର୍ଗେ ଦେବୀ ସହଯୋଗ କରିବା ପାଇଁ ସେ କାମନା କରିଛନ୍ତି । ଶ୍ରୀ ପାଣ୍ଡେ ୨୦୧୮ ମସିହାରୁ ଏପର୍ଯ୍ୟନ୍ତ ପୂଜା ପରିଚାଳନା କମିଟିର ସଭାପତି ଭାବେ ରହି କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି । ଯାହାକି ସମସ୍ତଙ୍କର ଆନ୍ତରିକତା ସହଯୋଗ ରହିଛି ବୋଲି କହିଛନ୍ତି । ଦୀର୍ଘ ଦିନରୁ ମା’ ଦୁର୍ଗେଙ୍କ ପୀଠରେ ପ୍ରବଳ ଭକ୍ତ ସମାବେଶରେ ପର୍ବ ପାଳିତ ହୋଇ ଆସୁଛି । ହେଲେ ପୀଠରେ ଯିବା ଆସିବା ରାସ୍ତା ନ ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ପାଖାପାଖି ୩ କିଲୋମିଟର ପାହାଡ଼ି ରାସ୍ତା ଉପରେ ଚାଲି ଯିବାକୁ କଷ୍ଟ ଅନୁଭବ କରୁଛନ୍ତି । ମା’ ଙ୍କ ପୂଜାର୍ଚ୍ଚନା ସମାରୋହରେ ବିଦ୍ୟୁତ ମଧ୍ୟ ନ ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ରାତିରେ ମା’ ପୀଠରେ ଅନ୍ଧାର ରାତ୍ରିରେ ଉଜାଗର ରହିଥାନ୍ତି । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରୁ ମା’ ଦୁର୍ଗେଦେବୀଙ୍କ ସହ କନ୍ଦେନକନ୍ଦୁଣୀ, ନୃସିଂହ ମହାପ୍ରଭୁ ଆବିର୍ଭାବ ହୋଇଥିବା ବେଳେ ମା’ ଦୁର୍ଗେଦେବୀଙ୍କ ଆରାଧ୍ୟ ଦେବୀଙ୍କ ଦୈବୀ ଶକ୍ତି ଉପାସନା ପରମ୍ପରାରେ ସ୍ଵତନ୍ତ୍ରତା ରହିଅଛି । ଭକ୍ତମାନଙ୍କର ଗୁହାରି ସହ ମନୋସ୍କାମନା ପୂର୍ଣ୍ଣ ହୋଇଆସୁଛି । ତେଣୁ ମା’ ଦୁର୍ଗେଦେବୀଙ୍କ ପୀଠରେ ଲାଇଟ ଓ ସିଡିର ବ୍ୟବସ୍ଥା କରିବା ସହ ଉନ୍ନତିକରଣ ପାଇଁ ସରକାରଙ୍କ ପାଖରେ ସଭାପତି ଶ୍ରୀ ପାଣ୍ଡେ ନିବେଦନ କରିଛନ୍ତି ।