om academy

ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm
  • ମାତୃ-ପିତୃ ପୂଜନ ହିଁ ପ୍ରେମ-ଦିବସ ପାଳନର ମହତ ଉଦ୍ଦେଶ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : “ପ୍ରେମ ସଦା ସର୍ବଦା ଚିରନ୍ତନ ବାସ୍ତବ ଓ ଅନନ୍ୟ” ; ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ପ୍ରତ୍ୟେକ ୧୪ ଫେବ୍ରୁଆରୀରେ “ମାତୃ-ପିତୃ ପୂଜନ” କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ଦ୍ୱାରା ଏକ ଅଭିନବ ପ୍ରୟାସ ବିଗତ ବାର ବର୍ଷ ହେଲା ହୋଇଆସୁଅଛି । ଏହି ପରିପ୍ରେକ୍ଷୀରେ, ଚଳିତ ବର୍ଷ ମଧ୍ୟ ବିଗତ ଏକ ମାସ ବ୍ୟାପୀ ସମଗ୍ର ଅଞ୍ଚଳରେ ମାତୃ-ପିତୃ ପୂଜନ କରିବା ସହିତ ପ୍ରେମ-ଦିବସ ପାଳନ କରାଯାଇ ଆସୁଅଛି । ସ୍ଥାନୀୟ ମୋଡର୍ଣ୍ଣ ଇଣ୍ଡିଆ, ଫର୍ଟିଲାଇଜର କଲୋନୀ, ଗର୍ଜନ(ତୁମରନ), ରେଲୱେ କଲୋନୀ, ଝୀରପାଣି, ରାଜଗାଙ୍ଗପୁର, ବଣାଇ, ବରସୁଆଁ ତଥା ସୋନାପର୍ବତ ଆଦି ସ୍ଥାନରେ ବିଗତ ଦିନମାନଙ୍କରେ ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ, ଗତକାଲି ସ୍ଥାନୀୟ ହନୁମାନ ବାଟିକା, ରାଉରକେଲା ସ୍ଥିତ ସନ୍ଥ ଶ୍ରୀ ଆଶାରାମଜୀ ବାପୁ ସତସଙ୍ଗ ଭବନ ଠାରେ ଶତାଧିକ ପରିବାର ମାତୃ-ପିତୃ ପୂଜନ କରି ୧୪ ଫେବ୍ରୁଆରୀକୁ କିପରି ପ୍ରେମ ଦିବସ ରୂପେ ପାଳନ କରିବା ତାହାର ଦୃଷ୍ଟାନ୍ତ ରଖିଛନ୍ତି । ପୂଜନ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଧ୍ୟାନ କରାଯାଇଥିଲା । ବନ୍ଦ ଆଖିରେ ଧ୍ୟାନ ମାଧ୍ୟମରେ ସମସ୍ତଙ୍କୁ ନିଜର ଜନ୍ମ ପୂର୍ବରୁ ମାତୃ ଗର୍ଭରେ ମାଆର ଯନ୍ତ୍ରଣା ଠୁଁ ଆରମ୍ଭ କରି ବାଲ୍ୟ କାଳରେ ମାତା ପିତା ସନ୍ତାନର କେଉଁ ଭଳି ଯତ୍ନ ନିଅନ୍ତି, କିଶୋର ତଥା ଯୌବନ ବେଳେ ସନ୍ତାନର ଜିଦ୍‌କୁ ମାତା ପିତା କିଭଳି ସହ୍ୟ କରି ସନ୍ତାନର ଉନ୍ନତି ପାଇଁ ହିଁ ନିଜକୁ ଉସ୍ୱର୍ଗ କରି ପରିଶେଷରେ ସନ୍ତାନ ପାଇଁ କେବେ ଅଲୋଡ଼ା ହୋଇଯିବା ଇତ୍ୟାଦି ଚିତ୍ରକୁ ଜୀବନ୍ତ ରୂପେ ମନେପକାଇ ଦିଆଯାଇଥିଲା । ଏହିପରି ନୀରବ ଓ ଶାନ୍ତ ବାତାବରଣରେ ଧ୍ୟାନ ଦ୍ୱାରା ହିଁ ସମସ୍ତେ ନିଜ ନିଜ ମାତା ପିତାଙ୍କ ମୂଳକୁ ଅନୁଭବ କରି ସତେ ଯେମିତି ଆଜି ଚଳନ୍ତି ଠାକୁରଙ୍କୁ ପାଇ ଓ ତାଙ୍କରି ପୂଜନ କରି ନିଜକୁ ଧନ୍ୟ କରିବା ପାଇଁ ବ୍ୟଗ୍ର ହୋଇ ଯାଉଥିଲେ । ସନ୍ତାନମାନେ ନିଜ ନିଜର ମାଆ-ବାପାଙ୍କୁ ଚନ୍ଦନ ଲଗାଇ, ଫୁଲମାଳ ପିନ୍ଧାଇ ଓ ପ୍ରସାଦ ଖୁଆଇ ଏକ ନିଆରା ଢଙ୍ଗରେ ପ୍ରେମ ଦିବସ ପାଳନ କଲେ । ତତ୍ ପରେ, ନିଜ ମାତା ପିତାଙ୍କୁ କୋଳାଗ୍ରତ କରି ସନ୍ତାନମାନେ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରେ ସମ୍ପୂର୍ଣ୍ଣ ପରିବେଶ ଭାବ ବିହ୍ଵଳମୟ ଓ ଲୋତକପୂର୍ଣ୍ଣ ଥିଲା । ମାତା-ପିତାମାନେ ହୃଦୟରୁ ଗଦଗଦ ହୋଇ ନିଜ ସନ୍ତାନମାନଙ୍କୁ କୋଳେଇ ନେଇ ତାପରେ ମୁଣ୍ଡରେ ହାତ ରଖି ଆନ୍ତରିକ ଆଶୀର୍ବାଦ ଦେଇଥିଲେ । ଏହିପରି ନିଆରା ଓ ଅଭିନବ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଆଜିର କଳୁଷିତ ଜୀବନକୁ ସୁସଂସ୍କୃତ କରି ଏକ ନବ ଚେତନାର ମାର୍ଗ ପ୍ରଦାନ କରିବ ବୋଲି ପ୍ରତେକ ଉପସ୍ଥିତ ବ୍ୟକ୍ତି ମତପୋଷଣ କରିଥିଲେ । ଆଜିର ଭୌତିକ ସର୍ବସ୍ୱ ଦୁନିଆଁରେ ବୃଦ୍ଧ ତଥା ବୟସ୍କା ମାନଙ୍କୁ ଆଉ ବୃଦ୍ଧ ଆଶ୍ରମର ଦ୍ୱାର ଦେଖିବା ପାଇଁ ପଡ଼ିବ ନାହିଁ ; ଯଦି ପ୍ରତ୍ୟେକ ସନ୍ତାନ ଏହିପରି ପୂଜନ କାର୍ଯ୍ୟକ୍ରମର ଅନନ୍ୟ ଅନୁଭୂତି ନିଜର କରିବେ ବୋଲି ସମସ୍ତେ ଆଲୋଚନା କରିଥିଲେ । ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲାର ବାଳ ସଂସ୍କାର ପ୍ରଭାରୀ ସମୀର ପଟ୍ଟନାୟକଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଶେଷରେ ଆଜିର ଦିନରେ ମାତା ପିତାଙ୍କ ମହାନତା ଆଧ୍ୟାତ୍ମିକ, ବ୍ୟବହାରିକ ତଥା ଧାର୍ମିକ ଦୃଷ୍ଟିରେ ଆଲୋକପାତ କରାଯାଇଥିଲା । ଏହା ସହିତ, ପ୍ରତ୍ୟେକ ୧୪ ଫେବୃଆରୀ ଦିନକୁ ହିଁ “ମାତୃ-ପିତୃ ପୂଜନ ଦିବସ” ରୂପେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ପାଳନ କରିବାର ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ମହାନ ଉଦ୍ଦେଶ୍ୟକୁ ଆଲୋକପାତ କରାଯାଇଥିଲା । ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣା ରେ ନିଜ ମାତା-ପିତାଙ୍କ ସହିତ ହିଁ ପ୍ରେମ ଦିବସ ପାଳନ ଅଭିଯାନ ଆଜି ବିଶ୍ୱ ବ୍ୟାପୀ ହୋଇଯାଇଛି ବୋଲି ସର୍ବ ସାଧାରଣରେ ସ୍ୱୀକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରୀତି ବିଶ୍ଵକର୍ମା, ସୁଚିତ୍ରା ଦେଶପାଣ୍ଡେ, ଆଶା ଦେବୀ ମାଳି, ଶକୁନ୍ତଳା ମାଝୀ, ଲଳିତା ପୋଦାର, ସୁନିତା ସାହୁ, ଜୟ ଶଙ୍କର ଗୌଡ଼, ପର୍ଶୁରାମ ବଡାଇକ, ଦିଲୀପ ମହାନନ୍ଦିଆ, ବନାରସୀ ପ୍ରସାଦ, ଶିବ ବିଶ୍ଵକର୍ମା, ଦେବଜିତ ଶତପଥୀ, ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ, ଶିବ ପ୍ରସାଦ, ମଧୁ ବର୍ମା, ଶ୍ରୀୟା ପଟ୍ଟନାୟକ, କନକ ସାହୁ, ବିଶ୍ଵଜିତ ସରକାର, ରାମେଶ୍ୱର ଦାସ, ସରସ୍ୱତୀ ଜେନା, ଶିବ ସାଗର ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.