ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜି ବସନ୍ତ ପଞ୍ଚମୀ ମା’ ବାଗ୍ଦେବୀଙ୍କ ପୂଜା । ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ ହୁଏ ମାଆଙ୍କ ପୂଜା । ବିଦ୍ୟାପ୍ରାପ୍ତି ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁ ଆଡମ୍ବରରେ ମାଆ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସମସ୍ତ ସ୍କୁଲ, କଲେଜ, ଶିଶୁ ମନ୍ଦିର, ଶିକ୍ଷାଅନୁଷ୍ଠାନରେ ମାଆଙ୍କ ପୂଜା ହେଉଛି । ଏହି ପରିପ୍ରେକ୍ଷୀରେ ଘୋରଡ଼ିଆ ନୋଡାଲ ହାଇସ୍କୁଲରେ ମା’ ସରସ୍ୱତୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ମୁଖ୍ୟତଃ ଏହି ବିଦ୍ୟାଳୟରେ ସୁସଜ୍ଜିତ ମେଢ଼ ମଣ୍ଡପ ବହୁ ଆକର୍ଷଣୀୟ ସହ ମା’ଙ୍କ ମୃଣୟ ପ୍ରତିମୂର୍ତ୍ତି ବିରାଜମାନ କରାଯାଇଥିଲା । ସୁନ୍ଦର୍ ସୁନ୍ଦର୍ ରଙ୍ଗୀନ ଆଲୋକରେ ସଜା ହୋଇଥିଲା, ରଙ୍ଗ ବେରଙ୍ଗର କାଗଜ ଫୁଲ ସହିତ ବିଭିନ୍ନ ପ୍ରକାର ସଜ ଫୁଲରେ ସଜେଇଥିଲେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ । ଗୋଟିଏ ଦିନ ପୂର୍ବରୁ ବିଦ୍ୟାଳୟକୁ ସଫା ସୁତରା କରି ମୂର୍ତ୍ତି ଆଣି ପୂଜାସ୍ଥଳରେ ରଖିଥିଲେ । ପୂଜାରେ ମୁଖ୍ୟ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ।ସମଗ୍ର ପରିବେଶ ଭକ୍ତିମୟ ହୋଇଥିଲା । ପୂଜାର ପୂର୍ଣ୍ଣାହୁତି ପରେ ପୁଷ୍ପାଞ୍ଜଳୀ ମାଆଙ୍କ ଚରଣରେ ଅର୍ପଣ କରି ପ୍ରସାଦ ସେବନ କରିଥିଲେ ସମସ୍ତ ଛାତ୍ରଛାତ୍ରୀ ଓ ଆସିଥିବା ନିମନ୍ତ୍ରିତ ଅତିଥି ମାନେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ପରିଚାଳନା ସମିତିର ସଦସ୍ୟ/ସଦସ୍ୟା, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପୂଜାର ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ ।