ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବିଭିନ୍ନ ଶକ୍ତିପୀଠ ଏବଂ ଗ୍ରାମଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବମୁଖର ଭାବେ ପାଳିତ ହୋଇଆସୁଛି । ସହରର ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଦ୍ଵାରା ପରିଚାଳିତ ଯାହା ଦେବୀନଗର ସାହିରେ ଅବସ୍ଥାପିତ । ଶ୍ରୀ ଶ୍ରୀ ମା’ ବ୍ୟାଘ୍ରଦେବୀ ମନ୍ଦିରର ଆରାଧ୍ୟ ଦେବୀ ମା’ କୁଲାଡ଼ଗଡରୁ ଆସିଥିବା ବ୍ୟାଘ୍ର ବାହିନୀ ଦେବୀ ସର୍ବପୁରାତନ ଓ ସୁପ୍ରତିଷ୍ଠିତ ଅଟନ୍ତି । ମା’ ବ୍ୟାଘ୍ରଦେବୀଙ୍କ ଆସ୍ଥାନରେ ନବରାତ୍ର ପୂଜା ନବଦିନ ବ୍ୟାପୀ ପାଳିତ ହୋଇ ଖୁବ୍ ଉତ୍ସବମୁଖର ହୋଇଉଠିଛି । ଦୈନିକ ସନ୍ଧ୍ୟାରେ ମା’ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଏଠାକାର ବାସିନ୍ଦା ମା’ ବ୍ୟାଘ୍ରଦେବୀଙ୍କ ନବଦୁର୍ଗା କ୍ରମରେ ପୂଜା ଆରାଧନା କରଥାନ୍ତି । ଦେବୀଙ୍କ ପୂଜା ପାର୍ବଣ ଅଧୁନା ଏକ ନିଆରା ପରମ୍ପରା ଭାବେ ପ୍ରଚଳିତ ହୋଇଆସିଛି । ଷୋଡ଼ଶ ଉପଚାରରେ ନବରାତ୍ର ପୂଜା ନବଦିନ ବ୍ୟାପୀ ପାଳିତ ହୋଇ ଆସୁଥିବା ବେଳେ ପ୍ରତିଦିନ ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ ୧୦୮ ଆଳତୀ ବନ୍ଦାପନା ଦର୍ଶନ କରିବା ପାଇଁ ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥାଏ । ମନ୍ଦିର ପରିସରରେ ଚିତ୍ତାକର୍ଷକ ସାଜସଜ୍ଜା ଭକ୍ତି ଭାବରେ ଭକ୍ତଗଣଙ୍କୁ ଆକର୍ଷିତ କରିଛି । ଦୈନିକ ସନ୍ଧ୍ୟା ବେଳେ ଦେବୀଙ୍କ, ଗାହାଣ ଗୀତ, ଵୀଣାକାର ଗୀତ ଆଦି ଲୋକନୃତ୍ୟ ପରମ୍ପରାର ବହୁ କଳା ପରିବେଷଣ ହୋଇଥାଏ । ମହାଆରତୀ ବନ୍ଦାପନା ସମୟରେ ଲୋକକଳା ପରିବେଷଣ ହୋଇଥିବା ନେଇ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଆନନ୍ଦ ଉଲ୍ଲାସ ମଧ୍ୟରେ ଦେବୀ ଭଗବତୀଙ୍କ ପୀଠରେ ସାନ୍ଧ୍ୟ କାର୍ଯ୍ୟକ୍ରମରେ ଲୋକସଂସ୍କୃତି ପରିବେଷଣ ଶୁଣି ଭକ୍ତି ଭାବରେ ମଜ୍ଜି ଯାଇଥାନ୍ତି । ଲୋକସଂସ୍କୃତିର ପ୍ରତୀକ ରଣପା କାଳୀଙ୍କ ନାଚ ପରିବେଷଣରେ ଗହଳ ଚହଳ ହୋଇ ଉତ୍ସବ ସ୍ଥାନଟି ମୁଖର ହୋଇଉଠେ । ରବିବାର ସନ୍ଧ୍ୟାରେ ଦେବୀଙ୍କ ଭୈରବୀ ବେଶ ଏବଂ ମଧ୍ୟରାତ୍ରୀରେ କାଳରାତ୍ରିବେଶ ଦର୍ଶନ କରି ଅଗଣିତ ଭକ୍ତଗଣ ଆତ୍ମବିଭୋର ହୋଇ ଉଠିଥିଲେ ।