
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାତୀଓଟ ଗ୍ରାମର ଦୀପକ ସାହୁ ହତ୍ୟା ଘଟଣା । ୧୦ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ । ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ ଆଧାରରେ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ସାନ ପୁଅକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲେ ମା ଏବଂ ବଡ଼ପୁଅ । ଅଭିଯୁକ୍ତମାନେ ହେଲେ ହାତୀଓଟ ଗ୍ରାମର ସୁରଜ ସାହୁ ଓ ତାଙ୍କ ମା’ବୈଜୟନ୍ତୀ ସାହୁ । ପୋଲିସ ସେମାନଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ହାତୀଓଟ ଗ୍ରାମର ବୈଜୟନ୍ତୀ ସାହୁ ଦୁଇ ପୁଅ ସୁରଜ ଓ ଦୀପକଙ୍କ ସହ ରହୁଥିଲେ । ବିଭିନ୍ନ ସମୟରେ ସାନ ପୁଅ ଦୀପକ ଘରେ ଗଣ୍ଡଗୋଳ କରୁଥିଲା । ଏପରିକି ଅଧିକାଂଶ ସମୟ ବାହାରେ ରହୁଥିଲା । ଗତ ୧୬ ତାରିଖ ରାତିରେ ଦୀପକ ଘରକୁ ଆସି ପୁଣିଥରେ ମା’ ଓ ବଡ଼ଭାଇ ସହିତ ଗଣ୍ଡଗୋଳ କରି ପାଟିତୁଣ୍ଡ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ମା’ ଓ ବଡ଼ପୁଅ ସୁରଜ ମିଶି ଦୀପକଙ୍କ ତିଣ୍ଟିଚିପି ହତ୍ୟା କରିଥିଲେ । ଘଟଣା ପରେ ସେମାନେ ଦୀପକଙ୍କୁ ପୋଲସରା ମେଡିକାଲ ନେଇଥିଲେ । ଦୀପକ କୌଣସି ଏକ ଦୁର୍ଘଟଣାରେ ଶିକାର ହୋଇ ଘରକୁ ଆସି ଅଚେତ ହୋଇ ପଡ଼ିଥିଲା ବୋଲି କହିଥିଲେ । ଚିକିତ୍ସା ପରେ ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ । କବିସୂର୍ଯ୍ୟନଗର ଥାନା ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।