ସହମତି କ୍ରମେ ଶାରୀରିକ ସମ୍ପର୍କର ବୟସ ୧୬ ବର୍ଷ ନିର୍ଣ୍ଣୟ କରାଯାଉ’ : ସୁପ୍ରିମକୋର୍ଟଙ୍କୁ ଆମିକସ୍ କ୍ୟୁରୀଙ୍କ ପ୍ରସ୍ତାବ “
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନ ଯୁଗରେ ପ୍ରେମ କରିବା ଅବା ଭଲ ପାଇ ବାହା ହେବା ଉଦ୍ଦେଶ୍ୟରେ କିଶୋର କିଶୋରୀ ନିର୍ଣ୍ଣୟ ନେବାରେ ଖୁବ୍ ଦକ୍ଷତା ରହିଛି । ସେମାନେ ନିଜର ଦାୟିତ୍ୱକୁ ବୁଝିବାକୁ ସମର୍ଥ । ତେଣୁ ସହମତିରେ ଶାରୀରିକ ସମ୍ପର୍କ ପାଇଁ ଆଗତ ବୟସକୁ ୧୮ ବର୍ଷ ବୟସ ବଦଳରେ ୧୬ ବର୍ଷ ବୟସ କରାଯାଉ ବୋଲି ସୁପ୍ରିମକୋର୍ଟ ପାଖରେ ଆମିକସ୍ କ୍ୟୁରୀ ପ୍ରସ୍ତାବ ରଖିଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ’ନିପୁଣ ସେକ୍ସେନା ବନାମ ଭାରତ ସରକାର’ ମାମଲାର ଆମିକସ୍ କ୍ୟୁରୀ କୋର୍ଟଙ୍କ ସହାୟତା କରୁଛନ୍ତି । ସେ ନିଜ ଲିଖିତ ଦଲିଲରେ ଦର୍ଶାଇଛନ୍ତି ଯେ’ ୧୬ ବର୍ଷ ବୟସରୁ ୧୮ ବର୍ଷ ବୟସ ଭିତରେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଅପରାଧିକ କରାଯିବା ଭୁଲ୍ ଅଟେ ବୋଲି ସୁପ୍ରିମକୋର୍ଟଙ୍କଠାରେ କୁହାଯାଇଛି । ଏହି ନିୟମ ପୋକ୍ସୋ ଆଇନ ୨୦୧୨ ଏବଂ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅଧୀନରେ ଆସୁଛି । ଆମିକସ୍ କ୍ୟୁରି ଇନ୍ଦିରା ଜୟସିଂ କହିଛନ୍ତି, ବର୍ତ୍ତମାନର ଆଇନ କିଶୋର କିଶୋରୀଙ୍କ ମଧ୍ୟରେ ସହମତି ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଛି । ଏହା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲଂଘନ କରୁଛି, ବୋଲି ସେ ବିବେଚନା କରିଛନ୍ତି । ଉତ୍ତମ ବୁଝାମଣା ଓ ନିର୍ଣ୍ଣୟ ନେବା ଲାଗି ଦକ୍ଷତା ରଖୁଥିବା କିଶୋର କିଶୋରୀ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ଏହି ଆଇନ ତାହାକୁ ଯୌନ ଶୋଷଣ ଭାବେ ଦେଖୁଛି । ସହମତିରେ ସମ୍ପର୍କର ବୟସ ୧୬ବର୍ଷରୁ ୧୮ ବର୍ଷ କରାଯିବାର କୌଣସି ଠୋସ୍ କିମ୍ବା ବୈଜ୍ଞାନିକ କାରଣ ନାହିଁ । ୭୦ ବର୍ଷ ଧରି ଏହି ବୟସ ୧୬ ବର୍ଷ ହିଁ ଥିଲା । କିନ୍ତୁ ୨୦୧୩ରେ ଆପରାଧିକ (ସଂଶୋଧନ) ଆଇନ ପରେ ଏହାକୁ ବଢ଼ାଯାଇଥିଲା । ତାହା ପୁଣି ବିନା କୌଣସି ବିତର୍କରେ । ଜଷ୍ଟିସ୍ ବର୍ମାଙ୍କ କମିଟୀ ମଧ୍ୟ ସହମତି ର ସମ୍ପର୍କର ବୟସ ୧୬ ବର୍ଷ ରଖିବାକୁ ସୁପାରିଶ୍ କରିଥିଲେ । ଆମିକସ୍ କ୍ୟୁରିଙ୍କ ଯୁକ୍ତି ଅନୁସାରେ, ଆଜିକା ସମୟରେ କିଶୋରମାନେ ସମୟ ପୂର୍ବରୁ ଯୌବନାବସ୍ଥାରେ ପହଞ୍ଚିଯାଉଛନ୍ତି ଏବଂ ସେମାନେ ନିଜେ ନିର୍ଣ୍ଣୟ ନେବାକୁ ମଧ୍ୟ ସକ୍ଷମ । ସେମାନେ ନିଜେ ନିଜ ପାଇଁ ନିର୍ଣ୍ଣୟ ନେବାକୁ ସକ୍ଷମ । ସେମାନେ ନିଜ ମନରେ ଯୌନ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି, ଆଉ ପୂରଣ ନହେଲେ ଅପରାଧ ପ୍ରବରାଣ ହୋଇପାରନ୍ତି । ଜଣେ ଝିଅର ଇଚ୍ଛା ବିରୋଧରେ ତାଙ୍କ ବାପା, ମାଆ ଏକ ମାମଲା ରୁଜୁ ହେବା ପରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି । ଇନ୍ଦିରା ଜୟସିଂ ଆହୁରି ମଧ୍ୟ କହିଛନ୍ତି ଯେ’ ଯୁବକ, ଯୁବତୀଙ୍କ ମଧ୍ୟରେ ସମ୍ପର୍କକୁ ସମାଜ ଗ୍ରହଣ କରେନି । ଏହାକୁ ଅପରାଧ ବୋଲି ବିବେଚନା କରାଯାଉଥିବାରୁ କିଶୋର, କିଶୋରୀ ଭୟରେ ଲୁଚନ୍ତି । ତରବରିଆ ଭାବେ ଅପରିପକ୍ବ ବୟସରେ ଲୁଚିଛପି ବିବାହ କରନ୍ତି । ଫଳରେ ଅଧିକାଂଶ ସମୟରେ ସେମାନେ ବିବାଦରେ ଛନ୍ଦି ହୋଇପଡ଼ନ୍ତି । ତେଣୁ ଶିକ୍ଷାନୁଷ୍ଠାନରେ ମଧ୍ୟ ଯୌନ ଶିକ୍ଷା ବାବଦରେ ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି । ତେଣୁ ୧୬ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ କିଶୋର କିଶୋରୀଙ୍କୁ ସହମତିରେ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାନଯାଉ । ଏହାର ବୟସ ସୀମା ଉପରେ ଗୁରୁତ୍ୱର ସହ ବିଚାର କରାଯାଉ ବୋଲି ସୁପ୍ରିମକୋର୍ଟଙ୍କୁ ଆମିକସ୍ କ୍ୟୁରୀଙ୍କ ପ୍ରସ୍ତାବ ଆଗତ କରିଛନ୍ତି ।