ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ପାଳିତ ହୋଇଯାଇଛି । ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଡ. ଦୟାନିଧି ବାଗ, ଅଧ୍ୟକ୍ଷା ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଡ. ବବିଲତା ସରାଫ, ସମ୍ମାନିତ ଅତିଥି ଓ ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ପ୍ରଦୋଷ କୁମାର ରଥ, ରାୟଗଡା ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସେହିପରି ଉତ୍କଳ ଆଲୁମିନା କମ୍ପାନୀର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ମିଳନ କୁମାର ବେହେରା, ଅଧ୍ୟାପକ ପି. ଅରୁଣ କୁମାର ପ୍ରମୁଖ ଯୋଗଦାନ କରିଥିଲେ । ଅତିଥିମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ ‘ପରିବର୍ତ୍ତନଶୀଳ ଗଣମାଧ୍ୟମ’ ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭୀକ, ନିରପେକ୍ଷ, ସତ୍ୟ ଓ ଗଠନମୂଳକ, ସମସ୍ୟାଭିତ୍ତିକ ସମ୍ବାଦ ପରିବେଷଣ କରୁଥିବାରୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଠାରେ ଖବରଗୁଡିକ ପଂହଚି ପାରୁଥିବାରୁ ଅନେକ ସମସ୍ୟାର ସମାଧାନ ହୋଇ ପାରିବା ସହ ଜିଲ୍ଲା ବିକାଶରେ ମଧ୍ୟ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିରପେକ୍ଷତା, ନିର୍ଭୀକତା, ସହୃଦୟତା ସାମ୍ବାଦିକଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ଗୋପରଞ୍ଜନ ବକ୍ସିପାତ୍ର, ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ନିଜ ନିଜ ବ୍ୟକ୍ତବ ରଖିଥିଲେ । ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ସମାଧାନ ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ସବୁ ସମୟରେ ସହଯୋଗ କରି ଆସୁଥିବା ବେଳେ ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ୧୮୩ ଜଣ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।
Prev Post