ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଚାଲିଥିବା ସପ୍ତମ ବିରାଟ ଧନୁଯାତ୍ରା ମହୋତ୍ସବ ଆଜି ମଙ୍ଗଳବାର ରାତିରେ ଉଦଯାପିତ ହେବ । ଷଷ୍ଠ ଦିବସ ସନ୍ଧ୍ୟାରେ ମଥୁରାର ମହାରାଜ କଂସଙ୍କ ରଙ୍ଗସଭା ଓ ଅକୃରଙ୍କୁ ଗୋପପୁର ପ୍ରେରଣ ନାଟକ ମଞ୍ଚସ୍ଥ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ଷଷ୍ଠ ରଜନୀରେ ଆୟୋଜକ କମିଟି ସଭାପତି ତରୁଣ ପୋଡ଼ଙ୍କ ସଭାପତିତ୍ୱରେ ତଥା କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସ୍ଵତନ୍ତ୍ର ପରିଷଦ ଉପସଭାପତି ନିରୁପମା ମାଝୀ, ସମ୍ମାନିତ ଅତିଥି ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, ଜନମୁକ୍ତି ଅନୁଷ୍ଠାନ ସମ୍ପାଦକ ଭଜରାମ ସାହୁ, ନାରୀନେତ୍ରୀ ପିଙ୍କି ଖର୍ସେଲ, ବରାଜୁରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇ, ସ୍ୱଦେଶୀ ମଧୁଶାଳାର ମ୍ୟାନେଜର ଜୟ ମାତାଦୀ, ବ୍ୟବସାୟୀ ଅନିଲ ଶର୍ମା, କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ବଘାର, କୋଷାଧ୍ୟକ୍ଷ ଭରତ ଦାସ, କମିଟିର ସାଂସ୍କୃତିକ ସମ୍ପାଦକ ଖଗେଶ୍ୱର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ । କମିଟିର ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ ଧନ୍ୟବାଦ ଦେଇଥିଲେ । ପ୍ରବଳ ଶୀତ ହେଉଥିବା ସତ୍ତ୍ୱେ ମଧ୍ୟ ଏହି ବିରାଟ ଧନୁଯାତ୍ରାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ଗୋପପୁର ବନବାହାଲରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ଏଗାର ଜଣ ଛାତ୍ରୀ ଭାଗ ନେଇଥିଲେ । ଏଥିରେ ସ୍ଵପ୍ନାରାଣୀ ଧରୁଆ ପ୍ରଥମ, ଜାହ୍ନବୀ ବାଗ ଦ୍ଵିତୀୟ ଓ ନଵ୍ୟାରାଣୀ ଦାସ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଲାଭ କରିଥିଲେ । ଆଜି ମଙ୍ଗଳବାର ରାତିରେ କୃଷ୍ଣ ବଳରାମଙ୍କ ହାତରେ ମହାରାଜ କଂସ ନିଧନ ସହ ସାତ ଦିନ ବ୍ୟାପୀ ଚାଲିଥିବା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହେବ । ଆଜି ଶେଷ ଦିବସରେ ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ସମ୍ଭାବନା ଥିବାରୁ ଆୟୋଜକ କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।