ଆଗଲପୁର ବାଂଜିପାଲି ଗାଁରେ ପ୍ରେମିକାକୁ କୀଟନାଶକ ପିଆଇଦେଲା ପ୍ରେମିକ

ବଲାଙ୍ଗିର/ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଂଚଲ୍ୟ । ଜନ୍ମଦାତ୍ରୀ ମା’ର ଆଖି ଆଗରେ ଘଟିଗଲା ସବୁ ଘଟଣା । ତାଙ୍କ ଝିଅକୁ ଜୋର୍‌ ଜବର୍‌ଦସ୍ତ କୀଟନାଶକ ପିଆଇଦେଲା ଯୁବକ । ସଂସାର ଛାଡ଼ିଦେଲା ଝିଅ । ଏମିତି ଏକ ଅଭାବନୀୟ ଘଟଣା ଆଜି ଆଗଲପୁର ବ୍ଲକ୍‌ ତଥା ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ବାଂଜିପାଲି ଗାଁରେ ଇନ୍‌ସା ଗାଁର ଜଣେ ଯୁବକ ନାବଳିକା ଝିଅ ଘରେ ପଶି ଜୋର୍‌ଜବରଦସ୍ତ ବିଷ ପିଆଇ ଦେଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତବରଣ କରିଥିବା ନାବାଳିକା ଜଣକ ହେଲେ ମମତା ବିଶ୍ୱାଳ(୧୬) । ମୃତ ନାବାଳିକାଙ୍କ ମା’ଙ୍କ କହିବା ଅନୁସାରେ ଘରେ କେହି ନଥିବା ବେଳେ ମମତାଙ୍କ ଘରକୁ ଇନ୍‌ସାର ଗ୍ରାମର ଜଣେ ଅଜଣା ଯୁବକ ଆସିଥିଲେ । ଠିକ୍‌ ସେତିକି ବେଳେ ଘରେ ପହଂଚିଥିଲେ ମମତାଙ୍କ ମା’ । ସେ ଦେଖିଥିଲେ ଜଣେ ଅଜଣା ଯୁବକ ତାଙ୍କ ଝିଅର ତଂଟିକୁ ଚିପି ତାକୁ କିଟନାଶକ ପିଆଉଛି । ମା’ ସୁଷମା ବିଶ୍ୱାଳ ବିରୋଧ କରିବାରୁ ଅଜଣା ଯୁବକ ତାଙ୍କୁ ବି ଆକ୍ରମଣ କରି ଚମ୍ପଟ ମାରିଥିଲା ଘଟଣା ସ୍ଥଳରୁ । ହେଲେ ଛାଡି ଯାଇଥିଲା ତା’ ମୋବାଇଲ୍‌ ଫୋନ, ଯାହାକୁ ପୁଲିସର ଜିମା ଦିଆଯାଇଛି । ଏବେ ଏହି ମୋବାଇଲ୍‌ ଫୋନ୍‌ ହିିଁ ଖୋଲିବ ସମସ୍ତ ଘଟଣାର ରହସ୍ୟ ବୋଲି କୁହାଯାଉଛି । ତନାଘନା ତଦନ୍ତ ଆରମ୍ଭ କରିଛି ପୁଲିସ । ତେବେ ଘଟଣା ଘଟାଇଥିବା ଅଜଣା ଯୁବକ ଜଣକ ଇନ୍‌ସା ଗ୍ରାମର ପ୍ରଣୟ ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.