ଦେଢ଼ଗାଁରେ ଯୁବକଙ୍କୁ ହତ୍ୟା ଘଟଣା : ପ୍ରେମ ପାଇଁ ଦେଢଶୁରଙ୍କୁ ମାରିଦେଲା ଭାଇବୋହୂ, ଆଉ ଜଣେ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ଦେଢ଼ଗାଁ ଗ୍ରାମରେ ଗତ ୨୧ ତାରିଖ ଗୁରୁବାର ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଗରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୁଧବାର ଆଉ ଜଣକୁ ଗୋପାଳ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିନ୍ଧେକେଲା ପୋଲିସ । ଘଟଣାରେ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଗୋଟିଏ ଲୁହା ପାଇପ (ମୋଟର ସାଇକେଲର ସକପ ରଡ଼) ଏବଂ ୨ ଟି ମୋବାଇଲକୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ । ପ୍ରେମ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ବସନ୍ତ ଦଳାଇ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଦେଢ଼ଗାଁ ଗ୍ରାମର ରୁଖାଡ ଥପା (୩୪) ନିଜ ଘରେ ଶୋଇଥିବା ବେଳେ ଘର ଭିତରକୁ ପଶି ନିର୍ମମ ଭାବେ ହତ୍ୟା କରିବା ଭଳି ଏକ ଜଘନ୍ୟ କାଣ୍ଡ ଘଟି ଯାଇଛି ପୁରା ଫିଲ୍ମ ଷ୍ଟାଇଲରେ । ନିଜ ବିଧବା ଭାଇବୋହୂ ଘରେ ଶୋଇଥିବା ଦେଢଶୁରଙ୍କୁ ଜୀବନରେ ମାରିଦେବାକୁ ରଚିଥିଲା ନିଜ ପ୍ରେମିକଙ୍କ ସହ ବ୍ଲୁ ପ୍ରିଣ୍ଟ । ଓ ଏଥିପାଇଁ ପ୍ରେମିକ ତିନିଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ପ୍ରେମିକା ଜୟନ୍ତୀଙ୍କ ଦେଢଶୁର ରୁଖାଡଙ୍କୁ ହତ୍ୟା କରିବା ପାଇଁ ପହଞ୍ଚିଥିଲା ଘରକୁ । ରୁଖାଡଙ୍କ ଭାଇ କରୁଣା ୨୦୨୨ ଜାନୁଆରୀ ୨୦ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେହି ଦିନଠାରୁ ମୃତ ରୁଖାଡଙ୍କ ଭାଇବୋହୂ ଜୟନ୍ତୀ ଏକାକୀ ହୋଇପଡ଼ିଥିଲେ । ଗୋଟିଏ ମାତ୍ର ଛୋଟ ଛୁଆକୁ ନେଇ ସେ ପରିବାର ସହ ମିଶି ଆରାମରେ ଚଳୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସମୟ ଅସମୟରେ ଘରୁ ବାହାରକୁ ଏକାକୀ ଯିବାଆସିବା କରୁଥିଲେ । ଏହାକୁ ନେଇ ପରିବାର ମଧ୍ୟରେ ମତାନ୍ତର ଲାଗି ରହୁଥିଲା । ଏନେଇ ସାମାଜିକ ବୈଠକ ମଧ୍ୟ ବସିଥିଲା । ଏ ମଧ୍ୟରେ ଜୟନ୍ତୀଙ୍କ ପ୍ରେମସମ୍ପର୍କ ଜଣେ ଯୁବକଙ୍କ ସହ ନିବିଡ଼ ହୋଇ ଯାଇଥିଲା । ଦେଢଶୁର ରୁଖାଡ ବାରମ୍ବାର ଜୟନ୍ତୀଙ୍କୁ ପରିବାରର ଇଜ୍ଜତ ଖରାପ ନ କରିବା ପାଇଁ ବାରମ୍ବାର କହୁଥିବା ଓ ନିଜେ ଜୟନ୍ତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହୁଥିବାରୁ ରୁଖାଡଙ୍କୁ ରାସ୍ତାରୁ ହଟାଇବାକୁ ଜୟନ୍ତୀ ପ୍ରେମିକ ସହ ଯୋଜନା କରିଥିବା ପୋଲିସ ସୁତ୍ରରୁ ପ୍ରକାଶ । ଜୟନ୍ତୀଙ୍କ ସହ ଗୋପାଳ ମହାନନ୍ଦଙ୍କ ସହ ପ୍ରେମସମ୍ପର୍କ ସୁଦୃଢ ହୋଇଯିବା ଏବଂ ସେ ଜଣେ ବିଧବା ମହିଳା ଓ ଜଣେ ଶିଶୁଙ୍କ ମାଁ ଥିବାରୁ ଦେଢଶୁର ପ୍ରତିବାଦ କରୁଥିବା ଯୋଗୁଁ ଦେଢଶୁର ରୁଖାଡଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଜ ପ୍ରେମିକଙ୍କ ସହ ମିଶି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ବ୍ଲୁ ପ୍ରିଣ୍ଟ ଅନୁଯାୟୀ ହତ୍ୟା ହେବାର ଦୁଇଦିନ ତଳେ ରୁଖାଡଙ୍କ ସ୍ତ୍ରୀ ତାଙ୍କ ବାପ ଘରକୁ ଯାଇଥିବାରୁ ଆକ୍ରମଣ ସମୟରେ ତାଙ୍କ ଘରେ କେବଳ ତାଙ୍କ ଦୁଇପୁଅ ବୟସ ୯ ଖିରୋଦ ଓ ୬ ବର୍ଷର ସାର୍ଥକ ଥିଲେ । ରୁଖାଡଙ୍କ ଖାଇବା, ପିଇବା, ଶୋଇବା ଏ ସମସ୍ତ ଇନଫର୍‌ମେଶନ୍‌ ଜୟନ୍ତୀ ତାଙ୍କ ପ୍ରେମିକ ଗୋପାଳଙ୍କୁ ଦେଇଥିଲେ । ଏହାର ସୁଯୋଗ ନେଇ ପ୍ରେମିକ ତାଙ୍କ ସାଙ୍ଗରେ ତିନିଜଣ ଯୁବକଙ୍କୁ ଭୀମ ଓରଫ ରୁପେଶ ଛୁରା (୧୯) , କହ୍ନେୟା ତାଣ୍ଡି (୨୭) , ଭାଲା ଓରଫ ଓମକାର ସୁନା (୨୩) ଙ୍କୁ ଏ ବିଷୟରେ କହି ସାଙ୍ଗରେ ନେଇ ଗୁରୁବାର ରାତି ରୁଖାଡଙ୍କ ଘରକୁ ପହଞ୍ଚିଥିଲା ପ୍ରେମିକ ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ମୋବାଇଲରେ କଥା ହେଉଥିଲା ଜୟନ୍ତୀ । ଘରକୁ ପହଞ୍ଚିବା ପରେ ସମସ୍ତଙ୍କୁ ପାଣି ପିଇବାକୁ ଦେଇଥିଲା ଜୟନ୍ତୀ । ନିଜେ ଜୟନ୍ତୀ ମହଜୁଦ ରହି ହତ୍ୟାକାଣ୍ଡ ଭିଆଇ ଥିଲେ । ପରେ ନିଜ ଶୋଇବା କୋଠରୀକୁ ଯାଇ କିଛି ଜାଣିନଥିବା ଭଳି ବେଶ ଆରାମରେ ଶୋଇଥିଲା । ହତ୍ୟା ସମୟରେ ଦୁଇ ପୁଅ ମଧ୍ୟ ପାଖରେ ଶୋଇଥିଲେ । ସାନପୁଅ ହୁଏତ ନିଘୋଡ଼ ନିଦରେ ଶୋଇ ଯାଇଥିଲା କିମ୍ବା ଡରିଯାଇ ଉଠିନଥିଲା କିନ୍ତୁ ବଡ଼ପୁଅ ବାପାଙ୍କୁ ମାରୁଥିବା ଦେଖି ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାଡ ମାରିଥିବା ଯୋଗୁଁ ହାତ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନେ ହତ୍ୟା କରି ଫେରାର ହେବାପରେ ବଡ଼ପୁଅ ଖିରୋଦ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସିଥିଲେ । ବାପାଙ୍କ ସହ ଶୋଇଥିବା ଦୁଇପୁଅଙ୍କୁ ଛାଡ଼ିଦେଲେ ଦୁର୍ବୃତ୍ତ । କଥାରେ ଅଛି ରଖେ ହରି ତ ମାରେ କିଏ ? ତାହା ଏହି ଘଟଣାରୁ ସତ ହୋଇଛି । ଆଜି ପର୍ଯ୍ୟନ୍ତ ଯେତେ ବି ହତ୍ୟା ଘଟଣା ହୋଇଛି ହତ୍ୟା ସମୟରେ ଦେଖିଥିବା କିମ୍ବା ସାଙ୍ଗରେ ଥିବା ଛୋଟ ବଡ଼ ଯିଏ ବି ହେଉନା କାହିଁକି ହତ୍ୟାକାରୀମାନେ ପ୍ରାୟତଃ ହତ୍ୟା କରି ଫେରାର ହୁଅନ୍ତି । ହେଲେ ଏହି ଘଟଣାରେ ଓଲଟା ହୋଇଛି ବଡ଼ପୁଅକୁ ମାଡମାରି ଥିଲେ ହେଁ ଦୁଇ ପୁଅ ଭଲ ଅଛନ୍ତି ।

Leave A Reply

Your email address will not be published.