ସାବାସ୍‌ ବଲାଙ୍ଗିର ପୋଲିସ : ପ୍ରେମ ବ୍ୟାପାରକୁ ନେଇ ଉନ୍ମତ୍ତ କାଣ୍ଡ ଘଟଣାରେ ଉଚିତ୍‌ ପଦକ୍ଷେପ ଯୋଗୁଁ ସାଧାରଣରେ ପୋଲିସ୍‌ ପ୍ରଶାସନକୁ ପ୍ରଶଂସା

  • କରୋନା କଟକଣା ଫେଲ୍‌, ଏବେ ଚର୍ଚ୍ଚା ସର୍‌ଗରମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଘଟଣା ଗତକାଲି ସାରା ସହରରେ ହଇଚଇ ସୃଷ୍ଟି କରିଥିବା ବେଳେ ବଲାଙ୍ଗିର ପୋଲିସ୍‌ ପକ୍ଷରୁ ଗ୍ରହଣ କରାଯାଇଥିବା ସମୟୋପଯୋଗୀ ଉଚିତ୍‌ ପଦକ୍ଷେପ ଯୋଗୁଁ ସାଧାରଣରେ ପୋଲିସ ପ୍ରଶାସନକୁ ପ୍ରଶଂସା କରାଯାଇଛି । ଦୀର୍ଘ ୫ ଘଂଟାରୁ ଅଧିକ ସମୟର ଆପ୍ରାଣ ପ୍ରୟାସ ପରେ ଅକ୍ଷତ ଅବସ୍ଥାରେ ଅଭିଯୁକ୍ତ ଯୁବକକୁ ଉଦ୍ଧାର କରିବାରେ ପୋଲିସକୁ ମିଳିଥିଲା ବିଶେଷ ସଫଳତା । ଏସ୍‌ପି ନୀତିନ କୁଶଲକର, ଏସ୍‌ଡ଼ିପିଓ ତୋଫାନ ବାଗ, ଆଇଆଇସି ପ୍ରିୟଙ୍କା ରାଉତରାୟ ତଥା ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବନ୍ଧକ ଥିବା ୩ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ପାରିଥିବା ବେଳେ ପ୍ରେମକୁ ନେଇ ଉନ୍ମତ୍ତ କାଣ୍ଡ ଭିଆଁଇଥିବା ଯୁବକ ବିକ୍ରମକୁ ମଧ୍ୟ ଅକ୍ଷତ ଭାବରେ ଉଦ୍ଧାର କରାଯାଇ ପାରିଥିଲା ।

ତେବେ ଘଟଣା ସ୍ଥଳରେ ଲୋକଙ୍କ ଖଚାଖଚ୍‌ ଭିଡ଼ କରୋନା କଟକଣାର ଲକ୍‌ଡାଉନ୍‌କୁ ଧୂଳିସାତ୍‌ କରି ଦେଇଥିବା ଦେଖିବାକୁ ମିଳିଥିଲା । ଦେଖଣାହାରୀଙ୍କ ଉତ୍‌କଣ୍ଠା ଆଗରେ କରୋନା ଗାଇଡ଼୍‌ ଲାଇନ୍‌ ସଂପୂର୍ଣ୍ଣ ରୂପେ ଫୁସ୍‌ କରି ଯାଇଥିଲା । ଅନ୍ୟପଟେ କିଛି ଗାଡ଼ି ନମ୍ବର ପୋଲିସ ପକ୍ଷରୁ ନୋଟ୍‌ କରାଯାଇଥିବା ମଧ୍ୟ ଆଲୋଚନା ହେଉଛି ।

ପ୍ରେମ ଓ ପ୍ରତାରଣାକୁ ଭିତ୍ତି କରି ବିକ୍ରମ ପଣ୍ଡା ଏଭଳି କାଣ୍ଡ ଭିଆଁଇ ଆତଙ୍କ ସୃଷ୍ଟି କରିଥିବା ବେଳେ ତାଙ୍କ ପ୍ରେମକୁ ନେଇ ନାନା ପ୍ରକାର ଚର୍ଚ୍ଚା ଏବେ ସର୍‌ଗରମ୍‌ ହୋଇ ଉଠିଛି ସହରରେ । ସଂପୃକ୍ତଙ୍କ ଯୁବକଙ୍କ ଟାର୍ଗେଟ୍‌ କ’ଣ ଥିଲା, ତାହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରଦାନ ଜୋର୍‌ ଧରିଛି ।

ସେ ଯାହା ବି ହେଉ, ବଲାଙ୍ଗିର ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁଁ ଏତେ ବଡ଼ ଘଟଣାରେ ବନ୍ଧକ ଥିବା ପରିବାର ସଦସ୍ୟମାନେ ତଥା ଅଭିଯୁକ୍ତ ଯୁବକ ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇ ପାରିଲେ, ତାହା ନିଶ୍ଚୟ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.