ଟିଟିଲାଗଡ଼ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୬ ତାରିଖକୁ ଓଡିଶାର କୋଣ ଅନୁକୋଣରେ ବିଜୁ ଜନତା ଦଳ ତରଫରୁ ରାଜ୍ୟରେ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ଦୀର୍ଘ ୨୬ ବର୍ଷ ଧରି ଓଡ଼ିଶାର ଶାସନ ଭାରର ଦାୟିତ୍ଵ ନିର୍ବାହ କରୁଛନ୍ତି ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରତିଷ୍ଠା ଦିବସ ପାଳନ ପାଇଁ ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ହାଇସ୍କୁଲ ଖେଳପଡିଆଠାରୁ ଏକ ଗଣଦୌଡ଼ ବାହାରି ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚିଥିଲା । ଏହି ଗଣଦୌଡ଼ରେ ଭାଗ ନେଇଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସେମାନେ ଦୌଡ଼ିବା ପରେ ନିଜେ ଦଳୀୟ କର୍ମୀଙ୍କ ସହ ଚାଲି ଚାଲି ସହର ପରିକ୍ରମା କରି ଥାନା ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ଏହାପରେ ଦିନ ୧୨ଟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଏ ସମ୍ବନ୍ଧୀୟ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରି ଫୁଲମାଳ ଦେବା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଟିଟିଲାଗଡ଼ରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିରୋଧୀଙ୍କ ସମାଲୋଚନାକୁ ନ ଶୁଣି ମୁଁ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କାମ କରିବାକୁ ପସନ୍ଦ କରେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ମୋର ବିରୋଧୀମାନେ ମତେ କୁହନ୍ତି ଯେ ରାଜନୀତିର ‘ର’ ଅକ୍ଷର ଜାଣିନି ବୋଲି ଯଦି ସେତିକି ସକ୍ଷମ ହୋଇ ନଥାନ୍ତି ତା’ ହେଲେ ଦୁଇ ଦୁଇ ଥର କ୍ୟାବିନେଟ୍ ମନ୍ତ୍ରୀ ହେଲି କିପରି ? ବିରୋଧୀଙ୍କ କାମ ହେଲା ଆଲୋଚନା କରିବା ଓ ମୋର କାମ ହେଲା ଅଞ୍ଚଳର ବିକାଶ କରିବା । ଲୋକେ ଆଜି କହୁଛନ୍ତି ଯାହା ଦୀର୍ଘ ତିରିଶ ବର୍ଷ ଯାଏଁ ହୋଇପାରି ନଥିଲା ତାହା ଆଠ ବର୍ଷରେ ହୋଇଛି । ଏ ହେଉଛି ଲୋକଙ୍କ ବିଶ୍ୱାସ ମୋ ଉପରେ ମୋ ସ୍ୱାମୀଙ୍କ ସଙ୍ଗଠନ ସହ ଯୋଡ଼ି ହୋଇ ଆଜି ଏହି ଅଞ୍ଚଳର ଲୋକ ମତେ ଦୁଇ ଦୁଇ ଥର ନିର୍ବାଚିତ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ଵାନ ଦେଇଥିଲେ । ତାପରେ ଦଳର ସଭାପତିଙ୍କ ଦ୍ୱାରା ଦିଆଯାଇଥିବା ଶପଥ ପାଠ ଉପସ୍ଥିତ କର୍ମୀଙ୍କୁ ପଠନ କରାଇଥିଲେ । ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବିଜେଡି ନଗର ସଭାପତି ରଣଜିତ ପୃଷ୍ଟି, ବିଜେଡ଼ିର ବରିଷ୍ଠ ନେତା ପ୍ରେମଚାନ୍ଦ ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ପୂର୍ବତନ ଉପ ପୌରା ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜନା ବର୍ମାଙ୍କ ସମେତ ଅନ୍ୟାନ୍ୟ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.