ଯୋଗୀସର୍ଡା ହରିହର ନୋଡାଲ ହାଇସ୍କୁଲର ପ୍ରତିଷ୍ଠା ଦିବସ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗୀସର୍ଡ଼ା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ପତାକା ଉତ୍ତୋଳନ ପୂର୍ବକ ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗତ ପଣ୍ଡିତ ବିଦ୍ୟାଧର ମିଶ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ସାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ପୁରାତନ ଛାତ୍ର କୋଦଣ୍ଡଧର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ପୋଲିସ ଅଧୀକ୍ଷକ ହେମସାଗର ନନ୍ଦ, ଆଲୁମିନି କମିଟି ସଭାପତି ରଙ୍କ କୁମାର ପଣ୍ଡା ଏବଂ ଅବସରପ୍ରାପ୍ତ କ୍ରୀଡାଶିକ୍ଷକ ଦୁର୍ବାଦଳ ବାଗ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀ ବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଅତିଥିମାନେ ନିଜ ସ୍କୁଲ ଜୀବନ ଉପରେ ସ୍କୃତି ଚାରଣ କରିବା ସହିତ ପିଲାମାନଙ୍କୁ କଠିନ ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅମନ ମହାକୁରଙ୍କ ସହିତ ଅନ୍ୟ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀଙ୍କୁ ରାଜକିଶୋର ପୁରସ୍କାର, ସୋହମ ପ୍ରଧାନଙ୍କୁ ସଂସ୍କୃତ ସମ୍ମାନ ଓ ଦିବ୍ୟମ ପ୍ରଧାନଙ୍କୁ ରାକେଶ ସ୍କୃତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏଥିସହିତ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀ ଓ ଅୟିଶ୍ରୀୟା ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଡୋଳାମଣି ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ମନରଞ୍ଜନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.