ରାଣୀସର୍ଡା ସ୍ଥିତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ତା ୨୯/୦୧/୨୦୨୩ ଦିନ କଳସ ଶୋଭାଯାତ୍ରା ସହ ମହାସମାରୋହରେ ଆରମ୍ଭ ହୋଇଥିବା ପ୍ରତିଷ୍ଠା ମହୋତ୍ସବ ତା ୦୫/୦୨/୨୦୨୩ ଦିନ ପୂର୍ଣ୍ଣାହୂତି ସହ ସମାପନ ହୋଇଯାଇଛି । ଚବିଶ ପ୍ରହରୀ ନାମଯଜ୍ଞ, ପ୍ରବଚନ, ଚଣ୍ଡିପାଠ, ତୁଳସୀ ରାମାୟଣ ପାରାୟଣ, ମହିଷାସୁର ଦରବାର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା’ ମାହେଶ୍ଵରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ରାଧାଗୋବିନ୍ଦ ମଠ, ସୁଲେଇର ଯଶୋଦା ନନ୍ଦନ ବୃନ୍ଦାବନ ଚନ୍ଦ୍ର ଦାସ ମହାରାଜଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ରାଣୀସର୍ଡା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଇ ମା’ ମାହେଶ୍ଵରୀ ମନ୍ଦିର ତଥା ରାଣୀସର୍ଡାର ବିକାଶ ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ରାଣୀସର୍ଡା ଗ୍ରାମର ସମସ୍ତ ବାସିନ୍ଦାଙ୍କ ସହଯୋଗରେ ପ୍ରତିଷ୍ଠା ମହୋତ୍ସବ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!