jayashree

୭୫ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିଲେ ଜିଲ୍ଲା ଓକିଲ ସଂଘ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୭୫ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ଜିଲ୍ଲା ବ୍ୟାପି ଉତ୍ସବର ମାହୋଲ ଦେଖାଯାଇଥିଲା । ଏହି ଅବସରରେ କଳାହାଣ୍ଡି ଓକିଲ ସଂଘ, ଭବାନୀପାଟଣା କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ସଂଘ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏଥିରେ ବରିଷ୍ଟ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ଗଜିନ୍ଦ୍ର ପ୍ରସାଦ ପାଢ଼ୀ, ଅନୁପ କୁମାର ଜେନା, ଭବେନ୍ଦ୍ର କୁମାର ପଣ୍ଡା ମଂଚାସୀନ ଥିଲେ । ଆଇନଜୀବୀ ମାନେ ନିଜ ବକ୍ତବ୍ୟ ମାଧ୍ୟମରେ କଳାହାଣ୍ଡିର ଐତିହ୍ୟ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଐତିହାସିକ ସିପାହୀ ବିଦ୍ରୋହର ବହୁ ପୂର୍ବରୁ କଳାହାଣ୍ଡିରେ ରେଣ୍ଡୋ ମାଝୀଙ୍କ ନେତୃତ୍ୱରେ ଇଂରେଜ ମାନଙ୍କ ବିରୁଦ୍ଧରେ ବିଦ୍ରୋହ ହୋଇଥିଲା । ବଙ୍ଗଳାରେ ଦୁର୍ଭିକ୍ଷ୍ୟ ସମୟରେ କଳାହାଣ୍ଡିରୁ ଚାଉଳ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ କଳାହାଣ୍ଡି ଦେଶର ଦ୍ୱିତୀୟ ବୃହତ୍ତମ ଶସ୍ୟ ଉତ୍ପାଦନ ଜିଲ୍ଲା ଭାବରେ ସ୍ୱୀକୃତି ପ୍ରାପ୍ତ ହୋଇଛି । କପା ଉତ୍ପାଦନରେ ମଧ୍ୟ କଳାହାଣ୍ଡି ଅଗ୍ରୀଣ ଜିଲ୍ଲା ଭାବରେ ମାନ୍ୟତା ପ୍ରାପ୍ତ । କଳାହାଣ୍ଡିର ରେଳପଥର ଉନ୍ନତି କରଣ, ଖଣିଜ ସମ୍ପଦର ସୁବିନିଯୋଗ, ଦାଦନ ସମସ୍ୟାର ନିରାକରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ବିଚାରପତି ନିଯୁକ୍ତି ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଦିବ୍ୟଶଙ୍କର ବହିଦାର, ସନ୍ତୋଷ କୁମାର ମୁଣ୍ଡ ତଥା ବହୁ ଆଇନଜୀବୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଓକିଲ ସଂଘର ସମ୍ପାଦକ ସାଧାରଣ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କର୍ଯ୍ୟକ୍ରମରେ ସଂଘର ସହ ସମ୍ପାଦକ ସୁଧାଂଶୁ ନାଏକ, କୋଷାଧ୍ୟକ୍ଷ ମହେଶ ମହାପାତ୍ର, ସଭ୍ୟ ମନୋଜ କୁମାର ତାଣ୍ଡି, ସାରଣୀ ବେମାଲ, ସଭ୍ୟା କୁମାରୀ ଯଶୋବନ୍ତି ଦେଇ, ଆଇନଜୀବୀ ଶ୍ରୀମତୀ ଆଶା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.