ଅନେକ ପ୍ରତୀକ୍ଷା ପରେ ୫୦ ପ୍ରତିଶତକୁ ଛୁଇଁଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ଅନେକ ଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲ୍ଲାର ଜୀବନ ରେଖା ବୋଲାଉଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୫୦ପ୍ରତିଶତକୁ ଛୁଇଁବା ସହ ୬୩୫ ମିଟରରେ ପହଂଚି ସାରିଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି । ଚଳିତ ବର୍ଷର ଅସ୍ୱାଭାବିକ ବର୍ଷା ହେତୁ କଳାହାଣ୍ଡିର ଚାଷୀ ଇନ୍ଦ୍ରାବତୀର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ କରି ଆସିଥିବା ବେଳେ ୫୦ ପ୍ରତିଶତ ଜଳ ସଂଗ୍ରହ ନିର୍ଭରଶୀଳ ଚାଷୀଙ୍କ ପାଇଁ ଆଶା ସଂଚାର କଲା ଭଳି ସ୍ଥିତି ସୃଷ୍ଟି କରିଛି । ଗତବର୍ଷ କିନ୍ତୁ ଆଜିର ଦିନରେ ଜଳ ଭଣ୍ଡାରର ଜଳସ୍ତର ୩.୧୫ ମିଟର ତଳକୁ ରହି ମୋଟ ୬୩୧.୮୫ ମିଟରରେ ରହିଥିଲା । ଅନିୟମିତ ବର୍ଷା, ଜଙ୍ଗଲ ଅବକ୍ଷୟ ଓ ଖଣି ଉତ୍ତୋଳନ ହେତୁ ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି ହେବା ସହିତ ପରବର୍ତ୍ତୀ ଦିନ ପାଇଁ ସତର୍କ ଘଣ୍ଟି ବଜାଇ ସାରିଲାଣି । ଇନ୍ଦ୍ରାବତୀ ଜଳଭଣ୍ଡାରର କେଚ୍‌ମେଂଟ୍‌ ଇଲାକା ୨୬୩୦ ବର୍ଗ କିଲୋମିଟର ରହିଥିବା ବେଳେ ତତ୍‌ ସଂଲଗ୍ନ ଶହ ଶହ ଚିରସ୍ରୋତା ଝରଣା, କପୁର, ମୁରାନ୍‌, ପୋଡାଗଡ ଓ ଇନ୍ଦ୍ରାବତୀ ଭଳି ନଦୀମାନଙ୍କର ଚିର ପ୍ରବାହାମାନ ସ୍ରୋତ ବହୁ ପରିମାଣରେ କମି ସାରିଲାଣି । ଏପରିକି ବର୍ଷା ନହେଲେ ଅନ୍ତଃ ସ୍ରୋତ ମଧ୍ୟ ଏବେ ନିରାଶ କରିବାକୁ ବସିଲାଣି । ଇନ୍ଦ୍ରାବତୀର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ ମିଟର ଅର୍ଥାତ୍‌ ୧,୪୫, ୫୫୦ ହେକ୍ଟର ମିଟର ରହିଥିବା ବେଳେ ଉକ୍ତ ଜଳଭଣ୍ଡାର କଳାହାଣ୍ଡି ଜିଲ୍ଲାର ୧.୧୮ଲକ୍ଷ ହେକ୍ଟର ଜମିରେ ଜଳସେଚନ ପରିସର ରଖିବା ସହିତ ୬୦୦ ମେଗା ୱାଟ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ରଖି ସମଗ୍ର ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପୃଷ୍ଠା ସୃଷ୍ଟି କରିସାରିଛି । କଳାହାଣ୍ଡିର କୃଷି ଓ କୃଷକଙ୍କ ଅର୍ଥନୀତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ପାରିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ତାର ସୁରକ୍ଷା ପ୍ରତି ମଧ୍ୟ ସଜାଗ ରହିବାର ଆବଶ୍ୟକତା ପଡ଼ି ସାରିଲାଣି ଜଙ୍ଗଲ ଅବକ୍ଷୟ ସହିତ ଶିଳ୍ପ ପାଇଁ ଦିଆଯାଉଥିବା ଖଣି ଉତ୍ତୋଳନ ଜିଲ୍ଲାର ବିକାଶ ଧାରାକୁ ବ୍ୟାହତ କରିପାରେ ବୋଲି ବୁଦ୍ଧିଜୀବୀ ଆଲୋଚନା କରିବା ଆରମ୍ଭ କଲେଣି । ବେଳ ଥାଇ ସଜାଗ ନ ହେଲେ ପ୍ରକୃତିର ବୈଭବ ମାଳିନୀ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

Leave A Reply

Your email address will not be published.