ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସେଲ ଗ୍ରାମଠାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଖର୍ସେଲ ଜମିଦାର ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍ବୋଧନ ଦେଇ ୧୯୫୭ର ମୁକ୍ତି ସଂଗ୍ରାମର ସମ୍ବଲପୁର ଉଲଗୁଲାନର ଅନ୍ୟତମ ହେଉଛନ୍ତି ଖରସଲ ଜମିଦାର ସହୀଦ ଦୀଆଲ ସିଂ ସର୍ଦ୍ଦାର । ସେ ବିଭିନ୍ନ ପ୍ରକାର ଅବରୋଧ ମାଧ୍ୟମରେ ଇଂରେଜ ସରକାରଙ୍କ ସୈନ୍ୟମାନଙ୍କୁ ପଙ୍ଗୁ କରି ଦେଇ ଏ ଅଞ୍ଚଳରୁ ବିତାଡିତ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ଓ ସହୀଦ ମାଧୋ ସିଂ ଭଳି ବିପ୍ଲବୀମାନେ ପ୍ରସ୍ତୁତ କରିଥିବା ମିଳିତ ରଣନୀତିର ପ୍ରମୁଖ ଅଂଶିଦାର ଥିଲେ । ଦ୍ୱାରି ଘାଟିରେ ଇଂରେଜ ସୈନ୍ୟମାନଙ୍କୁ କଡ଼ା ଜବାବ ଦେଇଥିଲେ । ଶେଷରେ ସେ ନିଜ ମାତୃଭୂମିର ରକ୍ଷା ପାଇଁ ସହୀଦ ହୋଇଥିଲେ । ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ମୁଁ ଅଞ୍ଚଳର ପ୍ରତିନିଧି ଭାବେ ନିଜକୁ ଗର୍ବ ଅନୁଭବ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଥିଲେ । ସଭାରେ ସମାଜର ସଭାପତି ଲକ୍ଷ୍ମୀ ନାରାୟଣ ସିଂ ଅଧକ୍ଷତା କରିଥିବା ବେଳେ କେନ୍ଦୁଝରର ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
Next Post