ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ତରଭା ବ୍ଲକ ଚାରଭଟା ସ୍ଥିତ ଆଦିବାସୀ ହଷ୍ଟେଲରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଦୁର୍ଭାଗ୍ୟ ଜନକ ମୃତ୍ୟୁ ଘଟଣା ପରେ ଗତକାଲି ଅପରାହ୍ନରେ ସୋନପୁର ବ୍ଲକ ଅନ୍ତର୍ଗତ ଅସୁରମୁଣ୍ଡା ଠାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚୀତ ଜାତି ଓ ଜନଜାତି ୪ ଗୋଟି ହଷ୍ଟେଲ (ଛାତ୍ର ଓ ଛାତ୍ରୀ ନିବାସ) କୁ ଅଚାନକ ପରିଦର୍ଶନ କରିଥିଲେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ବ୍ଲକର ନୂତନ ବିଡିଓ ପ୍ରତୀକ କରଙ୍କ ନେତୃତ୍ଵରେ ଡ଼ବ୍ଲୁଇଓ ସୌରଭ ଦାନୀ, ବିଆରସି ବିବେକାନନ୍ଦ ପଣ୍ଡା, ଏଇ ରାଜେନ୍ଦ୍ର ମଣ୍ଡଳ ପ୍ରମୁଖ ଅଫିସର ଏହି ପରିଦର୍ଶନରେ ସାମିଲ ଥିଲେ । ଅସୁର ମୁଣ୍ଡା ଆଦିବାସୀ ଛାତ୍ର ଓ ଛାତ୍ରୀ ନିବାସର ଶୃଙ୍ଖଳା, ଭିତ୍ତିଭୂମି ବିକାଶର ସାମଗ୍ରିକ ସ୍ଥିତି, ଶିକ୍ଷା, ପାନୀୟ ଜଳର ଗୁଣବତ୍ତା, ପରିମଳ ଓ ପରିଷ୍କାର ପରିଚ୍ଛନ୍ନତା, ମଧ୍ୟାହ୍ନ ଭୋଜନର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ କଡାକଡି ଯାଞ୍ଚ କରିଥିଲେ ବିଡିଓ ଶ୍ରୀକରଙ୍କ ସହିତ ଏହି ପ୍ରତିନିଧି ଦଳ । ଗତକାଲି ଏହି ଗାଁ ରେ ଥିବା ତିନି ଗୋଟି ଛାତ୍ରୀ ନିବାସ ଓ ଗୋଟାଏ ଛାତ୍ର ନିବାସରେ ପ୍ରାୟ ୩ ଘଣ୍ଟା ଯାଏଁ ଜିଲ୍ଲା ପ୍ରଶାସନର ଏହି ପ୍ରତିନିଧି ଦଳ ସମସ୍ତ ବ୍ୟବସ୍ଥା ଉପରେ ଯାଞ୍ଚ ଓ ନିରୀକ୍ଷଣ କରିଥିବାବେଳେ ଆଗକୁ ପ୍ରତି ମୁହୂର୍ତ୍ତରେ ହଷ୍ଟେଲର ସୁରକ୍ଷା ଓ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ରଖିବାକୁ ଓ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବାକୁ ହଷ୍ଟେଲ ଅଧିକ୍ଷକଙ୍କୁ ପରାମର୍ଶ କରିଥିଲେ ।