ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ପ୍ରାକୃତିକ ବୈଭବର ନିଦର୍ଶନ ସାଜିଥିବା ଥିଆମୂଳ ରାମପୁର ବ୍ଲକର ସାନଛତ୍ରଙ୍ଗ ଗ୍ରାମ ନିକଟ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଧି ମଧ୍ୟରେ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ନୌକା ଓ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି । ବ୍ଲକର ଛଅ ଗୋଟି ପଞ୍ଚାୟତର ସାମାଜିକ ଓ ଆର୍ଥିକ ବିକାଶରେ ଭୌଗୋଳିକ ପ୍ରତିବନ୍ଧକ ସାଜି ଆସିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ସ୍ଥାନୀୟ ଅଧିବାସୀଙ୍କ ପାଇଁ ଯେତେ ପ୍ରତିକୂଳ ଅବସ୍ଥା ଆଣି ଥିଲେ ବି ଏହି ଉତ୍ସବ ସମସ୍ତଙ୍କ ପାଇଁ ଏକ ସମ୍ଭାବନା ଆଣି ଦେଇଥାଏ । ଗୋଟିଏ ମଞ୍ଚରେ ନେତା ଅଧିକାରୀ ଓ ଉତ୍ସାହିତ ଜନସାଧାରଣଙ୍କ ସମାବେଶ ଏକ ପାର୍ବଣର ମୁହୂର୍ତ୍ତ ଅଣିଦେଇଥାଏ । ଇନ୍ଦ୍ରାବତୀ ଜଳ ଭଣ୍ଡାରର ଉପକଣ୍ଠରେ ଆୟୋଜିତ ଧନୁତୀର ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୭୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ କୁମୁଡ଼ାସିଲ ଗ୍ରାମର ରାଇମଲ ମାଝୀ ପ୍ରଥମ, ଦୀପ ସିଂହ ମାଝୀ ଦ୍ଵିତୀୟ, ଓ ବୋଗି ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଇନ୍ଦ୍ରାବତୀର ଗଭୀର ଜଳ ରାଶିରେ ଆୟୋଜିତ ନୌ ଚାଳନା ପ୍ରତିଯୋଗିତାରେ ୧୧ ଯୋଡ଼ି ଅଂଶ ଗ୍ରହଣ କରିଥିବା ବେଳେ ତ୍ରିନାଥ ମାଝୀ ଓ ଇନ୍ଦ୍ର ମାଝୀ ପ୍ରଥମ, ବୁଟୁ ଝଡିଆ ଓ ସୀମା ଝଡ଼ିଆ ଦ୍ଵିତୀୟ, ସୁବାସ ମାଝୀ ଓ ଚକ୍ର ମାଝୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ । ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ବାନ, ମାଣିକେଶ୍ଵରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସମାଜସେବୀ ପବିତ୍ର ନାଏକ, ବିଷ୍ଣୁ ନାଏକ, ବିଭିନ୍ନ ଜିଲ୍ଲା ଅଧିକାରୀ ଉପସ୍ଥିତ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ସୁନିଲ କୁମାର ବେହେରା, ମହେନ୍ଦ୍ର କୁମାର ପଣ୍ଡା, ଶମ୍ଭୁ ପ୍ରସାଦ ଦାସ, ଡୋଳାମଣି ସାହୁ, ସୁବାସ ନାଗ, ଭାରତ ଚଲାନ ପ୍ରତିଯୋଗିତା ପରିଚାଳନା କରିଥିଲେ ।