ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ରାଷ୍ଟୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆଜାଦ ଉଚ୍ଚବିଦ୍ୟାଳୟ, ଦନ୍ଦ୍ରାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ଚୟନ ହୋଇଥିବା ଉପକନିଷ୍ଠ ବର୍ଗ, କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ଓ ସମସ୍ତ ଉଚ୍ଚ ବିଦ୍ୟାଳୟରୁ ଚୟନ ହୋଇଥିବା ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ଏହି ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉପକନିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ପତ୍ରାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନନ୍ଦିନୀ ମାଝୀ, ଦ୍ଵିତୀୟ ସ୍ଥାନରେ ଭଏଁରିଗୁଭା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ବିଷ୍ଣୁ ସାହୁ ଏବଂ ତୃତୀୟ ସ୍ଥାନରେ ବେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ପୂଜା ନାଗ, କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ପତ୍ରାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମୋହିତ ସାହୁ, ଦ୍ଵିତୀୟ ସ୍ଥାନରେ ପତ୍ରାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହେମନ୍ତ ସାହୁ ଓ ତୃତୀୟ ସ୍ଥାନରେ ଖପାଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଟିକୁ ତାଣ୍ଡି ପୁରସ୍କୃତ ହୋଇଥିଲେ । ସେହିପରି ବରିଷ୍ଠ ବର୍ଗରେ ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲେବଡ଼ାର ଛାତ୍ର ବିକାଶ ହରପାଲ ପ୍ରଥମ, ତେନ୍ତୁଳୀଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆକୃତି ବେହେରା ଦ୍ଵିତୀୟ ଓ ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ପ୍ରଜ୍ଞାସା ତାଣ୍ଡି ତୃତୀୟ ସ୍ଥାନ ଅଧିକାର ପୁରସ୍କୃତ ହୋଇଥିଲେ । ଦନ୍ଦ୍ରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦନ୍ଦ୍ରା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନୁର୍ଜୟ ଦୀପ, ବ୍ଲକ ବିଜ୍ଞାନ ସମିତି ଆବାହକ ତଥା କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ପତ୍ରାପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେତାବ କୁମାର ବିଭାର ଓ ଦେବଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣାଦୀପ ଦାସ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମକୁ ବାନ୍ଦୁପଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ ସଂଯୋଜନା କରିଥିବା ବେଳେ ମାଳିଶିରା ଉଚ୍ଚ ବିଦ୍ୟାଳୟ, ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ ଧନ୍ୟବାଦ ଦେଇଥିଲେ । କୃତୀ ପ୍ରତିଯୋଗୀମାନେ ଚଳିତ ମାସ ଦ୍ଵିତୀୟ ସପ୍ତାହରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବିଇଓ ଶ୍ରୀ ପଢ଼ିହାରି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଦନ୍ଦ୍ରା ଆଜାଦ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।