ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡିଆଠାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଡିସେମ୍ବର ୨୦ ଓ ୨୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ । ସର୍ବପ୍ରଥମେ ଛାତ୍ରୀମାନେ ସ୍ଥାନୀୟ କାଳୀ ମନ୍ଦିରରୁ ମଶାଲ ଆଣିଥିଲେ ଓ ଏହା ଅଧ୍ୟକ୍ଷାଙ୍କ ଦ୍ଵାରା ଖେଳପଡିଆ ଠାରେ ସ୍ଥାପିତ ହୋଇ ଶପଥ ପାଠ କରାଯାଇଥିଲା । ପ୍ରତିଯୋଗିତାର ବିଭିନ୍ନ ଖେଳକୁ ନରେଶ ବାରିକ, ସୀମିତ ମହାନ୍ତି, ଅକ୍ଷୟ ବାରିକ, ଫକୀରମୋହନ ଭୋଇ ଓ ଅନିଲ ପୁରୋହିତ ପରିଚାଳନା କରିଥିଲେ । ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା ଉଦ୍ଘୋଷକ ଦାୟିତ୍ୱ ତୁଳାଇ ଥିଲେ । ଉଦ୍ଯାପନୀ ଉତ୍ସବରେ ପରିଚାଳନା କମିଟିର ସଭାପତି ଅଖିଳ ପୁରୋହିତ ମୁଖ୍ୟ ଅତିଥି ଭାବରେ ଓ ସମ୍ମାନିତ ଅତିଥି ଭାବରେ ସୁଶ୍ରୀ ପଙ୍କଜିନି ପଧାନ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡ଼ା ସମ୍ପାଦିକା ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାରେ ଛାତ୍ରୀ ଅଲିଭା ମହାନନ୍ଦ ଚାମ୍ପିଅନ ହୋଇଥିଲେ । ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ଗୌନ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Prev Post