jayashree

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ୱିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ୱିଦିବସୀୟ କବାଡି ପ୍ରତିଯୋଗିତା ସଂଘ ପରିସରରେ ଆରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ । ଅତିଥି ତ୍ୱୟ ସେମାନଙ୍କ ବକ୍ତବ୍ୟରେ ସଂଘର ଏଭଳି ଉଦ୍ୟମ ପାଇଁ ସାଧୁବାଦ୍ ଦେବାସହ ଏଭଳି ଅଭିନବ ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅବଦାନ ଓ ଭବିଷ୍ୟତରେ ଏହି କ୍ଷେତ୍ରରେ ବ୍ୟାପକତା ସମ୍ପର୍କରେ ଆଲୋଚନା କରିବା ସହ ଏହା ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହୁଏ ବୋଲି କହିଥିଲେ । ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରରେ ରାଜଗାଙ୍ଗପୁର ଅରବିନ୍ଦ ସ୍କୁଲ,ଏସ୍‌ଭିଏମ୍ କଲେଜ, ଡାଲମିଆ କଲେଜ, ମା’ ସରସ୍ୱତୀ କ୍ଲବ, ରାଉରକେଲାର ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇସ୍ପାତ କଲେଜ୍, ଡିଏଭି କଲେଜ, ବାସନ୍ତୀ କଲୋନୀ ଡିଏଭି ପବ୍ଲିକ ସ୍କୁଲ, ଉଦିତ ନଗରର ଦି ବୁଲ୍ସ, ଛେଣ୍ଡର ସ୍କାଏ ଫିଉରୀ, ଗର୍ଜନର ସରକାରୀ ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ହାଇସ୍କୁଲ, ମହିଳା ଉଚ୍ଚ ବିଦ୍ୟାଳୟ, ବିଶ୍ରା ଉଚ୍ଚ ବିଦ୍ୟାଳୟ ଓ କଲୁଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ରେଫ୍ରି ଭାବେ ଅରବିନ୍ଦ ପାତ୍ର, ଅର୍ଜୁନ ଭୂୟାଁ, ଅଶୋକ ରାଉତ, ଆକାଶ ସିନ୍ଧ୍ରିଆ, ବଜରଙ୍ଗ ବାଗ, ସତ୍ୟ ରଞ୍ଜନ ପଣ୍ଡା, ରାଜେଶ ମଲ୍ଲିକ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଅର୍ଜୁନ ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାଧାମୋହନ ନାୟକ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଖେଳ ଶେଷ ସୁଦ୍ଧା ବାଳିକା ବିଭାଗରେ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଫାଇନାଲ ଖେଳ ହେବ । ଠିକ୍ ସେହିଭଳି ବାଳକ ବିଭାଗରେ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ରାଜଗାଙ୍ଗପୁରର ଅରବିନ୍ଦ ସ୍କୁଲ ଓ ଛେଣ୍ଡର ସ୍କାଏ ଫିଉରୀ ମଧ୍ୟରେ ସେମିଫାଇନାଲ ଓ ଉଭୟ ଦଳର ବିଜେତାଙ୍କୁ ନେଇ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ଅଶୋକ କୁମାର ପଟ୍ଟନାୟକ, ବିପିନ ବିହାରୀ ପଟ୍ଟନାୟକ, ଅକ୍ଷୟ ସାମଲ, ଇନ୍ଦ୍ରମଣି ମହାପାତ୍ର, ନିରଞ୍ଜନ ପଣ୍ଡା, ସତ୍ୟନାରାୟଣ ଦାଶ, ଧରଣୀଧର ସାମଲ, ପୂର୍ଣ୍ଣଚନ୍ଦ୍ର ଜେନା, ଏମଡି ସମସେର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.