ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ନିରଞ୍ଜନ ବିଶି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଅନେକ ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟ ରହିଥିବା ବେଳେ ବର୍ତ୍ତମାନ ଚର୍ଚ୍ଚାର ପରିଧିକୁ ଆସିଛି ଗ୍ରାମାଞ୍ଚଳରେ ଥିବା ସିଦ୍ଧିବିନାୟକ ମନ୍ଦିର । ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରିଥିବା ମୁରିବାହାଲ ବ୍ଲକର ଚଲକି ଗ୍ରାମର ଅଭିମନ୍ୟୁ ମାଝୀଙ୍କ ପୁଅ ବିଷ୍ଣୁ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଷ୍ଣୁ ଦଶମ ଶ୍ରେଣୀରେ ଟପ୍ପର ହୋଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ବିଷ୍ଣୁଙ୍କ ନିଟ ସଫଳତା ନେଇ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳର ଏକ ଅନାମଧ୍ୟେୟ ବିଦ୍ୟାଳୟରେ ସଂସ୍କାରିତ ତଥା ଗୁଣବତ୍ତା ଯୁକ୍ତ ଶିକ୍ଷା ନେଇ ଜଣେ ଗ୍ରାମାଞ୍ଚଳର ଯୁବକ କୀର୍ତ୍ତି ସ୍ଥାପନ କରିଥିବା ଅବର୍ଣ୍ଣନୀୟ ବୋଲି କହିଥିଲେ । ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଦେଶିଲ ଗ୍ରାମର ଜଣେ ସାଧାରଣ ପରିବାରର ଶିକ୍ଷିତ ଉଦ୍‌ଯୋଗୀ ଯୁବକ ସୁଧୀର ସାହୁଙ୍କୁ ଏନେଇ ଉଚ୍ଚ ପ୍ରଶଂସା କରିଥିଲେ ସାଂସଦ ଶ୍ରୀ ବିଶି । ସଭାରେ ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ମଙ୍ଗଲ ସିଂଭୋଇ, ବରିଷ୍ଠ ସାମ୍ବାଦିକ ମାନସ ମହାନ୍ତି, ବିଶିଷ୍ଟ ସମାଜସେବୀ ସଞ୍ଜୀବ ପଟ୍ଟନାୟକ, ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ବ୍ଲକ ଶାଖା ସଭାପତି ପଦ୍ମନ ପ୍ରଧାନୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିକ୍ଷା ହିଁ ବିକାଶର ମୁଖ୍ୟ ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ସ୍ଥାନୀୟ ପ୍ରତିନିଧି ରମେଶ ଅଗ୍ରୱାଲ, ଆଦିବାସୀ ସଂଘ ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ସୁଶିଲ ଭୋଇ, ଶୁକଦେବ ପ୍ରଧାନୀ, ତପନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବିଶି ସଭା ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଦସ୍ୟ ଲଲିତ ମୋହନ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମ୍ପାଦକ ଦୀପାଞ୍ଜଳି ସାହୁ, ଉପ ପ୍ରଧାନଶିକ୍ଷକ ବିଶ୍ଵପତି ବିଶି, ଅଙ୍କିତା ଶର୍ମା, ଚାନ୍ଦନୀ ଶର୍ମା, ରେଭେନ୍ୟୁ ବାଗ, ଦେବେନ୍ଦ୍ର ବନଛୋର, ଭୂପେନ୍ଦ୍ର ଗଡ଼ତିଆ, ଏମ. ବିଷୋୟୀ, ଶୁଚିସ୍ମିତା ପ୍ରଧାନ, ପ୍ରେମିକା ମାଝୀ, ସୀତା ପ୍ରଧାନୀ, ସ୍ୱାଭିମାନ ସାହୁ, ସୁନିଲ ତାଣ୍ଡି, ବୈଜୟନ୍ତୀ ମହାନନ୍ଦ ପ୍ରମୁଖ ସହାୟତା କରିଥିଲେ ।

Leave A Reply

Your email address will not be published.