ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ସାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବଦିନ ମନ୍ତ୍ରୀଙ୍କ ଫଟୋ ତଥା ପୋଷ୍ଟର ହଟାଇବା ଅଭିଯୋଗରେ ଲୋଇସିଂହା ପୋଲିସ ବେନ୍ଦ୍ରା ସରପଞ୍ଚ ରବୀନ୍ଦ୍ର ସାହୁ ଓ ସମିତି ସଭ୍ୟଙ୍କ ସ୍ୱାମୀ ତଥା ଆଗଲପୁର ବ୍ଲକ ବିଜେଡ଼ି ସଭାପତି ଉତ୍ତମ ଭୋଇଙ୍କୁ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ଏହି ଖବର ପାଇବା ପରେ ଆଜି ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ର ଥାନାକୁ ଆସି ସେମାନଙ୍କୁ ବିନା କାରଣରେ କାହିଁକି ଅଟକ ରଖାଯାଇଛି କହି ମଧ୍ୟାହ୍ନରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାମପୁର ଗସ୍ତ ସରିବା ପରେ ଅପରାହ୍ନ ୨ଟାରେ ଅଟକ ଉଭୟ ଜନପ୍ରତିନିଧିଙ୍କୁ ପୋଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିଲା । ଏହାପରେ ଧାରଣାରେ ବସିଥିବା ପୂର୍ବତନ ସାଂସଦ ଶ୍ରୀ ମିଶ୍ର ଧାରଣାରୁ ଓହରିଥିଲେ । ଏହି ଅଟକକୁ ଅଗଣତାନ୍ତ୍ରିକ କହି ଶ୍ରୀ ମିଶ୍ର ପୋଲିସ ଉପରେ ବର୍ଷିବା ସହିତ ମନ୍ତ୍ରୀଙ୍କ ଚାପରେ ପୋଲିସ କାମ କରୁଛି ବୋଲି ଅଭିଯୋଗ କରିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବେନ୍ଦ୍ରା ସରପଞ୍ଚ ଏବଂ ଆଗଲପୁର ବିଜେଡ଼ି ସଭାପତିଙ୍କୁ ଅଟକ ରଖାଯାଇଥିବା ଆଇଆଇସି ସିପୋରା ସାଏରା ଲୁଗୁନ କହିଛନ୍ତି ।