ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ବିରୁଦ୍ଧରେ ବରଗଡ ବ୍ଲକ ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଅଫିସ ସମ୍ମୁଖରେ ପ୍ରତିବାଦ ସଭା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଫିସ୍ ଭିତରେ ପୋଲିସ ପ୍ରବେଶ କରି ଦଳୀୟ ନେତାମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ଗତକାଲି ବରଗଡ ବ୍ଲକ୍ ଅଫିସ ସମ୍ମୁଖରେ ବରଗଡ ବ୍ଲକ୍ ଓ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ବ୍ଲକ୍ କଂଗ୍ରେସ ସଭାପତି ଅନନ୍ତ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃମଣ୍ଡଳୀ କେନ୍ଦ୍ରର ବିଜେପି ସରକାରର ଦମନଲୀଳା ବିରୁଦ୍ଧରେ ଏକ ସ୍ଵରରେ କହିଥିଲେ । ସଭାରେ କୁହାଯାଇଥିଲା ଯେ, କେନ୍ଦ୍ର ସରକାର କେବଳ ଭୂୟାଁ ବୁଲାଇ ସମସ୍ତ କ୍ଷେତ୍ରରେ ଦେଶକୁ ଅବହେଳିତ କରି ରଖିଛନ୍ତି । ଆଜି ଦେଶରେ ଯୁବକ, ଛାତ୍ର, ମହିଳା, କୃଷକ, ଶ୍ରମିକ, ଚାକିରିଆ ସମସ୍ତେ ଏହି ସରକାର ଦ୍ଵାରା ପ୍ରତାରିତ । ଆଜି ସମଗ୍ର ଦେଶରେ ଅବହେଳିତ, ନିଷ୍ପେସିତ ଜନ ସାଧାରଣଙ୍କ ଆୱାଜ ଭାବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପୂର୍ବ ସଭାପତି ସାଂସଦ ରାହୁଲ ଗାନ୍ଧୀ ରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରୁଥିବା ଯୋଗୁଁ ଜନ ସାଧାରଣରେ କଂଗ୍ରେସ ଦଳ ପ୍ରତି ଏକ ଅନ୍ତଃ ସ୍ରୋତ ସୃଷ୍ଟି ହେଉଥିବା ଲକ୍ଷ୍ୟ କରି କେନ୍ଦ୍ର ସରକାର ନେସନାଲ ହେରାଲ୍ଡ ଦୁର୍ନୀତି ନାମରେ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ତାଙ୍କ ପଛରେ ଲଗାଇ ଦେଇଛନ୍ତି । ଆଜି ସମଗ୍ର ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ହୁ ହୁ ହୋଇ ବଢୁଥିବା ବେଳେ, ଜନ ଅସନ୍ତୋଷ ଭିତରେ ଭିତରେ କୁହୁଳୁ ଥିବା ଜାଣି ଓ ସେହି ଅସନ୍ତୋଷର ନେତୃତ୍ବ ଧୀରେ ଧୀରେ ରାହୁଲ ଗାନ୍ଧୀଙ୍କ ହାତକୁ ଯାଉଥିବାର ଅନୁମାନ କରି ଏଭଳିଆ ତାଙ୍କୁ ହଇରାଣ କରାଯାଉଛି ସେ ମଇଦାନ ଛାଡ଼ି ଘରେ ବସି ଯିବେ ବୋଲି । କିନ୍ତୁ ରାହୁଲ ଗାନ୍ଧୀ ଏହା ଦ୍ବାରା ଆହୁରି ମଜବୁତ୍ ହେବେ ଓ ଆଗକୁ ଲଢେଇ ଆହୁରି ଶାଣିତ ହେବ ବୋଲି ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ କହିଥିଲେ । ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ତଥା ଜିଲ୍ଲା କଂଗ୍ରେସ ଉପ ସଭାପତି ରବି ପଣ୍ଡା, ଗତ ନିର୍ବାଚନରେ ବରଗଡ ବିଧାୟକ ପ୍ରାର୍ଥୀ ନିପନ ଦାଶ, ପୁର୍ବ ଜିଲ୍ଲା କାର୍ଯ୍ୟକାରୀ ସଭାପତି ହରଦୀପ ସିଂ, ଆଇଏନ୍‌ଟିୟୁସି ଜିଲ୍ଲା ସଭାପତି ବ୍ରହ୍ମା ମହାକୁର, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ଶୁଭେନ୍ଦୁ ସାହୁ, ମନୋହର ପ୍ରଧାନ, ପୁର୍ବ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ପୂଜାରୀ, ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ, ବରିଷ୍ଠ ନେତା କୈଳାଶ ସାହୁ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ମହେଶ ଅଗ୍ରୱାଲ, ଉପ ସଭାପତି ସେକ ଅସଗର, ଦେବୁ ସ୍ବାଇଁ, ରଜତ ପାତ୍ର, ଅମିତ୍ ଆଚାର୍ଯ୍ୟ, ନିଳୀମା ଅଗ୍ରୱାଲ, ଗୋବିନ୍ଦ ମେହେର, ସୀମା କୁମ୍ଭାର, ବୃନ୍ଦାବନ କୁମ୍ଭାର, ପପ୍ପୁ କୁମ୍ଭାର, ଜିୟା ଉଲ୍ ହକ, ପ୍ରକାଶ ଭୁଏ, ସୁଶାନ୍ତ ପ୍ରଧାନ, ଅର୍ଜୁନ ଭୁଏଙ୍କ ସମେତ ବହୁ କଂଗ୍ରେସ ନେତା ଏହି ବିକ୍ଷୋଭରେ ସାମିଲ ଥିଲେ ।

Leave A Reply

Your email address will not be published.