ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ଷମତାର ନିଶାରେ ଅନ୍ଧ ହୋଇ ସାଧାରଣ ଲୋକଙ୍କୁ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା ସହ ଧନଜୀବନ ହାନି କରିବା ଭଳି ଘଟଣା ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କ ପାଖରେ ଆଦୌ ଶୋଭା ପାଏନି ବୋଲି ଡେଲାଙ୍ଗ ଏସୟୁସିଆଇ(କମ୍ୟୁନିଷ୍ଟ)ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ତ୍ରିସ୍ତରୀୟ ନିର୍ବାଚନ ପରିପ୍ରେକ୍ଷୀରେ ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ସମବେତ ଲୋକଙ୍କ ଉପରେ ଅମାନବୀୟ ଭାବେ ଗାଡି ଚଢାଇ ଲୋକଙ୍କୁ ଗୁରୁତର ଆହତ କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରତା ଘଟଣା ଉତ୍ତରପ୍ରଦେଶର ଖେରିଠାରେ ବିଜେପି ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଦ୍ୱାରା ଗାଡି ଚଢାଇ ୪ଜଣ ଚାଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ଏସୟୁସିଆଇ(କମ୍ୟୁନିଷ୍ଟ)ପକ୍ଷରୁ ଦାବୀ କରାଯାଇଛି । ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କ ଏତାଦୃଶ ସ୍ବେଚ୍ଛାଚାରିତା ରାଜନୀତିରେ ଅପରାଧୀକରଣ, ଫାଶୀବାଦ ଆକ୍ରମଣ ତଥା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ ବୋଲି ସର୍ବସମ୍ମତ ମତପ୍ରକାଶ ପାଇଛି । ଏଭଳି ବର୍ବରୋଚିତ ଘଟଣାକୁ ଏସୟୁସିଆଇ(କମ୍ୟୁନିଷ୍ଟ)ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ରବିବାର ଡେଲାଙ୍ଗ ଷ୍ଟେସନ ବଜାରଠାରେ ପାର୍ଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ କମ୍ରେଡ଼ ରଘୁନାଥ ଦାସ ଯୋଗଦେଇ ଏହି ଦୁଃଖଦ ଘଟଣାର ମୁଖ୍ୟ କାର୍ପଟଦାର ତଥା ଅଭ୍ୟାସଗତ ଅପରାଧୀ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରିବା ଓ ବିଜେପି, ବିଜେଡି ଓ କଂଗ୍ରେସ ଭଳି ରାଜନୈତିକ ଦଳରେ ଅପରାଧିକରଣ ବନ୍ଦ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା କରିବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ଡେଲାଙ୍ଗ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ଼ ଦୀନବନ୍ଧୁ ପରିଡ଼ା, ରାଜକିଶୋର ଆଳୁକ, ବଟକୃଷ୍ଣ ସ୍ୱାଇଁ, ତ୍ରିନାଥ ପ୍ରଧାନ, ଗଙ୍ଗାଧର ପ୍ରଧାନ, ପଦ୍ମଚରଣ ଜେନା ଓ ଗୋଲକ ବରାଳ ପ୍ରମୁଖ ଯୋଗଦେଇ ସମ୍ପ୍ରତି ରାଜ୍ୟରେ ହେଉଥିବା ଅପରାଧିକରଣ ରାଜନୀତି ବିରୁଦ୍ଧରେ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଆହ୍ୱାନ ଦେଇଥିଲେ । ତେବେ ଏହି ଆନ୍ଦୋଳନରେ ଜନସାଧାରଣ ସ୍ୱତଃପ୍ରବୃତ ଭାବେ ସାମିଲ ହେବା ପାଇଁ ପାର୍ଟର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ରଘୁନାଥ ଦାସ ନିବେଦନ କରିଛନ୍ତି ।