- ସ୍କୁଲରୁ ବଦଳି ଶିକ୍ଷକ ଛାଡ଼ିବାକୁ ନାରାଜ ଗ୍ରାମବାସୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ସ୍କୁଲ ପରେ ମଙ୍ଗଳବାର ବ୍ରାହ୍ମଣୀ ସ୍କୁଲରେ ମଧ୍ୟ ସେହି ସମାନ ଶିକ୍ଷକ ବଦଳିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ୍ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ବହୁ ବିଳମ୍ବରେ ବ୍ଲକ ଶିକ୍ଷା ବିଭାଗ ଏବିଇଓ କୈଳାସ ଚନ୍ଦ୍ର ଭୋଇ ଓ ସିଆରସିସି ବେତାବ ବିଭାର ଧାରଣାସ୍ଥଳକୁ ପହଞ୍ଚି ଆଲୋଚନା କରି ଦାବୀଗୁଡ଼ିକ ସମ୍ପର୍କରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ବ୍ରାହ୍ମଣୀ ଗ୍ରାମର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦାବୀ ମୁତାବକ ସ୍କୁଲରେ ନୂଆଁ କରି ନିଯୁକ୍ତି ପାଇଥିବା ଶିକ୍ଷକ ଅଭିମନ୍ୟୁ ପାଣ୍ଡେଙ୍କୁ ହଳଦୀ ପଞ୍ଚାୟତ ପଟାମରା ସ୍କୁଲକୁ ସାମୟିକ ଅସ୍ଥାୟୀ ବଦଳି କରାଯାଇଛି । ଶ୍ରୀ ପାଣ୍ଡେ ସ୍କୁଲରେ ଜଣେ ଲୋକପ୍ରିୟ ଓ ଆଦର୍ଶ ଶିକ୍ଷକ ରୂପେ ପରିଚିତ ହୋଇ ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇଛନ୍ତି । ତାଙ୍କୁ ଅନ୍ୟତ୍ର ପଠାଗଲେ ପାଠପଢ଼ା ବ୍ୟାହତ ହେବା ସହ ବହୁ ଅସୁବିଧା ସୃଷ୍ଟି ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସ୍କୁଲରୁ ପୂର୍ବରୁ ଡେପୁଟେସନରେ ଯାଇଥିବା ସହକାରୀ ଶିକ୍ଷକ ତୁଳସୀ ହାତୀଙ୍କୁ ଏ ପର୍ଯ୍ୟନ୍ତ ଫେରାଇ ଅଣାଯାଇନାହିଁ । କିଛିଦିନ ତଳେ ସ୍କୁଲର ଜଣେ ଆର୍ଟସ ଶିକ୍ଷକଙ୍କୁ ଏଠାରୁ ବଦଳି କରାଯାଇଥିବା ବେଳେ ଆଉ ଜଣେ ଶିକ୍ଷୟିତ୍ରୀ ଦୀର୍ଘ ୬ମାସ ଧରି ମାତୃତ୍ଵ ଛୁଟିରେ ଥିବାରୁ ତାଙ୍କ ଶ୍ରେଣୀର ପାଠପଢ଼ା ମଧ୍ୟ ଶିକ୍ଷକ ଶ୍ରୀ ପାଣ୍ଡେ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଏଭଳି ଲୋକପ୍ରିୟ ଶିକ୍ଷକଙ୍କ ହଠାତ୍ ବଦଳି ଯୋଗୁଁ ପାଠପଢ଼ା ଗୁରୁତର ବାଧା ସୃଷ୍ଟି ହେବା ନେଇ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ସ୍କୁଲ ଫାଟକରେ ତାଲା ପକାଇ ସମସ୍ତେ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମାନନ୍ଦ ଯୋଶୀଙ୍କୁ ପଚାରିବାରୁ ସ୍କୁଲର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୧୧ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୫ଜଣ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିବା ବେଳେ ଶ୍ରୀ ପାଣ୍ଡେଙ୍କୁ ଅନ୍ୟତ୍ର ବଦଳି ଆଦେଶ ହୋଇଛି ବୋଲି ପ୍ରକାଶ କରିଥିଲେ । ଏବିଇଓ ଶ୍ରୀ ଭୋଇ ଗ୍ରାମବାସୀଙ୍କ ଦାବୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ, ଛାତ୍ରଛାତ୍ରୀଙ୍କ ପାଠପଢା ଓ ମଧ୍ୟାହ୍ନ ଭୋଜନକୁ ଦୃଷ୍ଟି ଦେଇ ସ୍କୁଲର ତାଲା ଖୋଲିବାକୁ ଅନୁରୋଧ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଶେଷରେ ବହୁ ସମୟ ପର୍ଯ୍ୟନ୍ତ ଆଲୋଚନା କରିବା ପରେ ସ୍କୁଲରୁ ତାଲା ଖୋଲାଯାଇଥିଲା । ଏହି ଧାରଣାରେ ସ୍କୁଲ ପରିଚାଳନା କମିଟି ସଭାପତି ହେମରାଜ ରଣା, ୱାର୍ଡସଭ୍ୟ ସତ୍ୟବାନ ଭୋଇ, ଭୀମସେନ ଭୋଇ, କୈଳାସ ରଣା, ସତ୍ୟବାନ ରଣା, ଭୂତେଶ୍ୱର ରଣା, ପ୍ରଣବ ପଧାନ, ଲଛମନ କୁମ୍ଭାର, ପବିତ୍ର ରଣା, କାମ ରଣା ଓ ନବୀନ ମହତଙ୍କ ସହ ସମସ୍ତ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ ।