ଆପ୍‌ର ପ୍ରତିବାଦ ସଭା ଆସନ୍ତା ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରଙ୍କ ଦ୍ୱାରା ଓଡିଶାବାସୀଙ୍କୁ ଧୋକା ଦେବା ନେଇ ଆମ ଆଦମୀ ପାର୍ଟି ନିନ୍ଦା ଓ ବିରୋଧ କରିବା ସହ ଆସନ୍ତା ସେପ୍ଟେମ୍ବର ୧୩ରେ ଭୁବନେଶ୍ୱର ସ୍ଥିତ ପିଏମ୍‌ଜି ଛକଠାରେ ପ୍ରତିବାଦ କରିବ ବୋଲି ପାର୍ଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ଏନେଇ ପାର୍ଟିର ଜିଲ୍ଲା ଆବାହକ ବିନୟ ତିୱାରୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବିଜେପି ତରଫରୁ ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଓ ପ୍ରଲୋଭନ ଦିଆଯାଇଥିଲା । ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ, ଯାହା ମାସିକ ୨ ହଜାର ଟଙ୍କାରୁ ଅଧିକ ଦିଆଯିବାର ଥିଲା । ସେହିପରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ବିଜୁଳି ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସ ୩ ଶହ ୟୁନିଟ୍‌ ବିଜୁଳି ମାଗଣା ପ୍ରଦାନ କରାଯିବ ବୋଲି ସାଧାରଣ ସଭାରେ ଘୋଷଣା କରିଥିଲେ । ବୃଦ୍ଧା ଭର୍ତ୍ତା ବାବଦରେ ୬୦ ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ମାସିକ ୩ ହଜାର ୫ ଶହ ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ପ୍ରତିଶୃତିର ପ୍ରଲୋଭନରେ ପଡ଼ି ଓଡ଼ିଶାବାସୀ ବିଜେପିକୁ ଭୋଟ ଦେଲେ । ତେବେ ବିଜେପି ସରକାରକୁ ଆସିବା ପରେ ଓଡ଼ିଶାବାସୀଙ୍କୁ ଧୋକା ଦେବା ଆରମ୍ଭ କଲେ । ସୁଭଦ୍ରା ଯୋଜନା ମାଧ୍ୟମରେ କେବଳ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ମାସକୁ ୨୦୮୩ ଟଙ୍କା ବଦଳରେ ମାତ୍ର ୮୩୩ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି । ବିଜୁଳି ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରିବା ବଦଳରେ କୌଣସି ପ୍ରକାର ରିହାତି ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଛନ୍ତି । ବୃଦ୍ଧା ଭତ୍ତା ବାବଦରେ ୬୦ ବର୍ଷ ଅଧିକ ବଦଳରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବା ବୃଦ୍ଧଙ୍କୁ ହିଁ ୩୫୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି । ବିଜେପି ସରକାରଙ୍କ ଏଭଳି ଦୋମୁହାଁ ନୀତି ଓ ନିଷ୍ପତ୍ତିର ପ୍ରତିବାଦରେ ଆପ୍ ଓଡ଼ିଶା ରାଜ୍ୟ ତରଫରୁ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଦିନ ଭୁବନେଶ୍ଵରର ପିଏମ୍‌ଜି ଛକଠାରେ ପ୍ରତିବାଦ କରିବ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତରୁ ଆପ୍‌ର କର୍ମୀ ମାନେ ଏହି ରାଜ୍ୟସ୍ତରୀୟ ପ୍ରତିବାଦରେ ସାମିଲ୍ ହେବେ ବୋଲି ଶ୍ରୀ ତିୱାରୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ବେହେରା, ସତ୍ୟକିଶୋର ମହାନ୍ତି, ରମାକାନ୍ତ ନାୟକ, ମିଡ଼ିଆ ପ୍ରଭାରୀ ଭରତ ଚନ୍ଦ୍ର ବାଇ, ସନ୍ତୋଷ ଜେନା, ଛୋଟୁ ବଡାଇକ, ଶିବାନୀ ବେହେରା, ମନୋଜ ଷଡ଼ଙ୍ଗୀ, ଚିନ୍ତାମଣି ମହାନନ୍ଦ, ମହମ୍ମଦ ଆଜମେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.