ଅଘୋଷିତ ବିଦ୍ୟୁତ କାଟ ନେଇ ବିଜେପିର ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭାରତୀୟ ଜନତା ପାର୍ଟି ଦ୍ୱାରା ଟାଟା ପାୱାରର ଅଘୋଷିତ ବିଦୁତ୍‌ କାଟକୁ ନେଇ ଗୁରୁବାର ସଂଧ୍ୟାରେ ସ୍ଥାନୀୟ ବିଦ୍ୟୁତ୍‌ ସେକ୍ସନ ଅଫିସ ସମ୍ମୁଖରେ ୨ ଘଂଟିଆ ପ୍ରତିବାଦ ସଭା କରାଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଓଡିଶା ସରକାର ବିଦ୍ୟୁତ୍‌କୁ ଘରୋଇକରଣ କରି ଟାଟା ପାୱାରକୁ ହସ୍ତାନ୍ତର କରିବା ପରଠାରୁ ସାଧାରଣ ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ଶିକାର ହେଉଛନ୍ତି । ବିଦ୍ୟୁତ୍‌ ବିଲରେ ସ୍ଲାବ ମୁତାବକ ବିଭିନ୍ନ ଦର ନିର୍ଦ୍ଧାରିତ କରୁଥିବାରୁ ଉପଭୋକ୍ତାମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ବିଦ୍ୟୁତ୍‌ ବିଭାଗ ଚାଲିଛି । ଏପରିକି ଟାଟା ପାୱାର ଦ୍ୱାରା ନିଯୁକ୍ତି ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଉପଭୋକ୍ତାମାନଙ୍କୁ କୌଣସି କାରଣ ନ ଜାଣି ସିଧାସଲଖ ନିଜର ପାୱାର ଦେଖାଇ ଗ୍ରୀଷ୍ମ ମାସରେ ତୁହାକୁ ତୁହା ଲାଇନ କାଟି ଦେଉଛନ୍ତି । ଏପରିକି ବିଲ କଲେକ୍ଟରମାନେ ମଧ୍ୟ ନିଜ ମୁତାବକ ଉପଭୋକ୍ତାମାନଙ୍କୁ ଯାହାତାହା ବିଲ ଦେଇ ହଇରାଣ ହରକତ କରୁଛନ୍ତି । ସହରାଂଚଳ ଠାରୁ ଗ୍ରାମାଂଚଳର ଉପଭୋକ୍ତାମାନେ ଟାଟା ପାୱାରର ଅହେତୁକ ବିଲ ସଂଗ୍ରହ ନେଇ ଅତିଷ୍ଟ ହୋଇ ପଡିଲେଣି । ଘରୋଇକରଣ ହେବା ଦିନଠାରୁ ସରକାର ନିଜେ ମାଲାମାଲ ହେଉଥିବା ବେଳେ ଗରିବ ଖଟିଖିଆମାନଙ୍କ ଉପରେ ବିଦ୍ୟୁତ୍‌ ବିଲ ଲଦି ଦେଇ ରାଜସ୍ୱ ଜୋର ଯବରଦସ୍ତ ଅସୁଲି କରୁଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବିଜେପିର ନିର୍ଦ୍ଦେଶକ୍ରମେ କଂଟାବାଂଜିରେ ମଧ୍ୟ ଆଜି ୨ଘଂଟିଆ ପ୍ରତିବାଦ କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଅଫିସରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ସେକ୍ସନ କାର୍ଯ୍ୟାଳୟରେ ପ୍ରତିବାଦ ସଭା କରାଯାଇଛି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ଲକ୍ଷ୍ମଣ ବାଗ, କଂଟାବାଂଜି ନଗର ସଭାପତି ବେଦବ୍ୟାସ ନାଗ, ଲୋକସଭା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଜିଲ୍ଲା ସଂପାଦକ ଅଜୟ କୁମାର ଶର୍ମା, ତୁରେକେଲା ବ୍ଲକ ସଂପାଦକ ଇଶ୍ୱର ପୁଟେଲ, ପୂର୍ବତନ ସରପଂଚ ସୁଦର୍ଶନ କଟା, ଦୀପକ ସେଲମା ସହ ଶତାଧିକ ବିଜେପି କର୍ମୀ ସାମିଲ ଥିଲେ । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସବ୍‌ ଇନ୍ସପେକ୍ଟର ଏସ. ଛତ୍ରିଆ, ଏ.ଏସ.ଆଇ. ନବୀନ କିଶୋର ପରୁଆ ଓ ପୋଲିସ କର୍ମଚାରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.