centurian jitm

ଟିଟିଲାଗଡ଼ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ କିପରି ସୁରୁଖୁରୁରେ ଶୃଙ୍ଖଳାର ସହିତ ରଥଯାତ୍ରା ପାଳିତ ହେବ ସେନେଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରି, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଦଧିବାମନ ଟ୍ରଷ୍ଟର ସଞ୍ଜୀବ ପାଢ଼ୀ, ଭବାନୀ ପ୍ରସାଦ ହୋତା, ସହାୟକ ଜିଲ୍ଲାପାଳ ସନ୍ଦୀପ କୁମାର ଚନ୍ଦକାର ମଞ୍ଚାସୀନ ଥିଲେ । ପ୍ରଥମେ ଟ୍ରଷ୍ଟର ଭବାନୀ ପ୍ରସାଦ ହୋତା ସ୍ୱାଗତ ଅଭିଭାଷଣ ଦେଇ ସଭା ଆରମ୍ଭ କରିଥିଲେ । ଟ୍ରଷ୍ଟର ସଞ୍ଜୀବ ପାଢ଼ୀ ପୂର୍ବ ବର୍ଷ ରଥଯାତ୍ରା କିପରି ପାଳନ ହୋଇଥିଲା ସେନେଇ ବିସ୍ତୃତ ବିବରଣୀ ପାଠ କରିବା ପରେ ଉପସ୍ଥିତ ଲୋକଙ୍କୁ ନିଜର ମତାମତ ଦେବାକୁ କୁହାଯାଇଥିଲା । ପୁରୀ ମନ୍ଦିରରେ ହେଉଥିବା ରୀତିନୀତି ଅନୁସାରେ ସେବାୟତ କେବଳ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁଙ୍କୁ ସ୍ନାନ କରାଇବା ନିୟମ ଥିବା ବେଳେ ଟିଟିଲାଗଡ଼ରେ ସେହି ନିୟମର ଅବମାନନା କାହିଁକି ହୋଇଥିଲା ? ମହିଳା ମାନଙ୍କୁ ସ୍ନାନ କରାଇବାକୁ କିପରି ସେବାୟତଙ୍କ ଉପସ୍ଥିତିରେ ଛଡ଼ା ଗଲା ? ରଥଯାତ୍ରାରେ ଏଭଳି ଅବ୍ୟବସ୍ଥା ନ ହେଉ ବୋଲି କହିବା ସହ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍‌ଦାର୍‌ ହେଉ ବୋଲି କହିବା ସହ ଯିଏ ବି ଭୁଲ କରିବେ ତା ପାଇଁ ପ୍ରଭୁ ତାହା କଥା ବୁଝିବେ ବୋଲି କହିଥିଲେ । ଲିଙ୍ଗରାଜ ସାହୁ ରଥଟଣା ଅପରାହ୍ନ ଚାରିଟା ସମୟରେ କଲେ ଭଲ ହୁଅନ୍ତା ବୋଲି ପ୍ରସ୍ତାବ ଦେଇଥିବା ବେଳେ ଉପେନ୍ଦ୍ର ବାଗ ୱାନ ୱେ ଦର୍ଶନ ବ୍ୟବସ୍ଥା କରିବାକୁ କହିଥିଲେ । ସେହିପରି ବିଜେପି ନେତା ପ୍ରମୋଦ ପ୍ରଧାନ ନୂଆଁ ରଥ କପଡ଼ା ଲଗାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ବରିଷ୍ଠ ସେବାୟତ କମ୍ବୁପାଣି ପାଢ଼ୀ ଜଗନ୍ନାଥ ମନ୍ଦିରରୁ ପୁରୁଣା ବ୍ୟାଙ୍କ ଛକ ଯାଏଁ ରଥ ଟଣା ବେଳେ ରାସ୍ତା ସଙ୍କୁଚିତ ଥିବାରୁ ରଥ ଟାଣିବାକୁ ଅସୁବିଧା ହେଉଛି, ତାହା ପ୍ରତି ଧ୍ୟାନ ଦେବା ସହ ରାସ୍ତା ଚଉଡ଼ା କରିବାର ବ୍ୟବସ୍ଥା କଲେ ଭଲ ହୁଅନ୍ତା ବୋଲି ପ୍ରସ୍ତାବ ଦେଇଥିଲେ । ରଥ ଟଣା ହେଉଥିବା ବେଳେ ରଥ ଦଉଡ଼ି ଭିତରକୁ ବେଶି ଲୋକ ପଶି ଟାଣିବା ଯୋଗୁଁ ଅବ୍ୟବସ୍ଥା ହେଉଥିବା, ସେହି ରାସ୍ତା କଡ଼ରେ ଥିବା ନାଳର ଢାଙ୍କୁଣି ମାନଙ୍କୁ ଠିକ କରାଯିବା ବ୍ୟବସ୍ଥା କରିବାକୁ କହିଥିଲେ । ସୁବୋଧ ଦାସ ଓ ରାଜୁ ମିଶ୍ର ଶିବରାତ୍ରି ବେଳେ କିଛି ଲୋକଙ୍କୁ ପାଉଣା ଦେବାରେ ବିଳମ୍ବ ଯେପରି ହେଲା ସେ ଅବ୍ୟବସ୍ଥା ନ ହେବା ପାଇଁ କହିଥିଲେ । ତା’ ସହିତ ଭୋଗ ନେବା ପାଇଁ ଯେଉଁ ଭକ୍ତମାନେ ଇଚ୍ଛୁକ ରହୁଛନ୍ତି ପ୍ରସାଦ ନେବା ପାଇଁ କିଛି ଦର ଫିକ୍ସ କରି ପ୍ରସାଦ ବଣ୍ଟନ କଲେ ଭଲ ହୁଅନ୍ତା ବୋଲି ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବିଧାୟକ ନବୀନ ଜୈନ ରଥଯାତ୍ରା ସରିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଶାସ୍ତ୍ରୀଛକରୁ ପୁରୁଣା ବ୍ୟାଙ୍କ ଛକ ଠାରୁ ଜଗନ୍ନାଥ ମନ୍ଦିର ଯାଏଁ ସରକାରୀ ଜମି ଉପରେ ହୋଇଥିବା ଜବର ଦଖଲ ଉଚ୍ଛେଦ କରାଯିବାକୁ ଉପଜିଲ୍ଲାପାଳଙ୍କୁ କହିଥିଲେ । ଲୋକଙ୍କୁ କୌଣସି ପ୍ରକାରର ଅସୁବିଧା ଯେପରି ନ ହେବ ସେନେଇ ରୋଡ ମ୍ୟାପ ପ୍ରସ୍ତୁତ କରି ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ସମ୍ପନ୍ନ କରିବା ପାଇଁ କାମ କରିବା ଲାଗି କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବୁଦ୍ଧିଜୀବୀ, ବିଭିନ୍ନ ଦଳର କର୍ମୀ, ଥାନାଧିକାରୀ ଶ୍ରୀ ଅବନୀ ସାହୁ, ଅଗ୍ନିଶମ ବିଭାଗର ଅଧିକାରୀ ରାଧେଶ୍ୟାମ ବାରିକ, ପୌର ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.