jayashree

ଜନ୍ମାଷ୍ଟମୀକୁ ନେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର୍ : ସୁରକ୍ଷା ବ୍ୟବସ୍ଥା କଡାକଡି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ପବିତ୍ର ଜନ୍ମାଷ୍ଟମୀ, ଏହି ତିଥିରେ ପାଳନ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ୱାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ସ୍ୱାମୀଜୀଙ୍କ ସମେତ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ଏହାପରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ସାରା ଜିଲ୍ଲାରେ । ସ୍ୱାମୀଜୀଙ୍କ ହତ୍ୟା ଘଟଣାକୁ ପୁରିଛି ୧୪ ବର୍ଷ । ଆଜି ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନ ଯୁକ୍ତାନନ୍ଦ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ସବ ପାଳନ ପାଇଁ ଜଲେଶପଟ୍ଟା ଆଶ୍ରମ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜି ସକାଳୁ କଳସ ଯାତ୍ରା, ନାମ ସଂକୀର୍ତ୍ତନ ହେବାସହ ସୂର୍ଯ୍ୟ ପୂଜା, ଗୋ ପୂଜା ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଳନ କରାଯିବ । ସ୍ୱାମୀଜୀଙ୍କୁ ସ୍ମରଣକରି ଆମେ ଆଜିବି ତାଙ୍କ ଚଲାପଥରେ ଚାଲିଛୁ ବୋଲି କହିଛନ୍ତି ଆଶ୍ରମ ମୁଖ୍ୟ । ଅନ୍ୟପଟେ ଏହି ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ଜିଲ୍ଲା ପୋଲିସ । ତୁମୁଡିବନ୍ଧର ଜଲେଶପଟ୍ଟାରେ ଜଣେ ଡିଏସପି, ତିନିଜଣ କମାଣ୍ଡେଣ୍ଟ, ୯ଜଣ ଅଫିସର୍,୧ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କ ସମେତ ସ୍ଥାନୀୟ ପୋଲିସ୍ ମୁତୟନ ଅଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ସମସ୍ତ ସ୍ଥିତି ଉପରେ କଡ଼ାନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।

Leave A Reply

Your email address will not be published.