oom

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ -୨୦୩୦ ସଫଳ ରୂପାୟନ ସମ୍ପର୍କିତ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm
  • ସ୍ଥାନୀୟ ଆବଶ୍ୟକତାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ -୨୦୩୦ ସଫଳ ରୂପାୟନ ସମ୍ପର୍କିତ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଓ ପରିବେଶ ବିକାଶକୁ ଲକ୍ଷ୍ୟରେ ରଖି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ -୨୦୩୦ର ଲକ୍ଷ୍ୟ ହାସଲ ନିମନ୍ତେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଏବଂ ଏନ୍‌ଜିଓ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ -୨୦୩୦ର ୧୭ ଗୋଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ପର୍କରେ ଠିକ୍‌ ଭାବେ ଅବଗତ ହେଲେ ଯାଇ ଏହାର ସଫଳ ରୂପାୟନ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ସମ୍ପ୍ରତି ଯୋଗାଯୋଗ, ବୈଷୟିକ ଜ୍ଞାନ ଓ ଜଳବାୟୁ ପରିବର୍ତ୍ତନ ବିଶ୍ଵରେ ପ୍ରଭାବ ବିସ୍ତାର କରିଛି । ତେଣୁ ସମସ୍ତ ଆହ୍ଵାନକୁ ସମ୍ମୁଖୀନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଉପଯୁକ୍ତ ଯୋଜନା ଓ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ସମନ୍ଵୟ ଓ ପ୍ରତିବଦ୍ଧତା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପୋଷଣ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ଯୁଗ୍ମ ଶାସନ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସ୍ଥାନୀୟ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଅଞ୍ଚଳର ସମ୍ବଳକୁ ଉପଯୋଗ କରି କାର୍ଯ୍ୟରେ ଲଗାଇଲେ ଏକ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ ଯୋଗଦେଇ ପଞ୍ଚାୟତ ସ୍ତରରୁ ବ୍ଲକସ୍ତର ଏବଂ ଜିଲ୍ଲାସ୍ତରରେ ଯୋଜନାର ସଫଳ ରୂପାୟନ ହୋଇପାରିଲେ ରାଜ୍ୟରେ ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମତ ପୋଷଣ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ତୃଣମୂଳ ସ୍ତରକୁ ଯାଇ ସରକାରଙ୍କ ଯୋଜନାର ସଫଳ ରୂପାୟନ ପୂର୍ବକ ମିଳିତ ଜାତିସଂଘ ଦ୍ଵାରା ସ୍ଥିରିକୃତ ୧୭ ଗୋଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ପାଇଁ ଗୁରୁତ୍ଵ ଦେବାକୁ ସେ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶ, ୟୁଏନଡିପିର ଓଡିଶା ମୁଖ୍ୟ ଆଭା ମିଶ୍ର, ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ଏସ୍‌ଡିଜି, ପିଏମ୍‌ୟୁର ଅର୍ଥନୈତିକ କ୍ଷେତ୍ର ମୁଖ୍ୟ ପ୍ରଦୀପ କୁମାର ପଣ୍ଡା, ଯୋଜନା ଓ ସଂଯୋଜନା ବିଭାଗର ବସନ୍ତ କୁମାର ନାୟକ ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇ ୧୭ ଗୋଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର କାର୍ଯ୍ୟକାରିତା ଓ ସଫଳ ରୂପାୟନ ସମ୍ପର୍କିତ ବିଭିନ୍ନ ମାନଦଣ୍ଡ ଓ ବିଷୟ ବସ୍ତୁ ଉପରେ ସବିଶେଷ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣକୁ ମଧ୍ୟ ସମାନ ଗୁରୁତ୍ଵ ଦେଲେ ଏହି ୧୭ଟି ଲକ୍ଷ୍ୟ ନିଶ୍ଚିତ ସାଧନ ହୋଇପାରିବ ବୋଲି ତାଲିମଦାତା ମାନେ ମତ ଦେଇଥିଲେ । ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ନିରନ୍ତର ଭାବେ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଲେ ଏବଂ ପରିବେଶ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ଏହି ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ସହକାରୀ ନିର୍ଦ୍ଦେଶକ ଯୋଜନା ସଞ୍ଜୟ କୁମାର ଦୀପ ସ୍ଵାଗତ ବକ୍ତ୍ୟବ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବଇଦିପାଲିର ସରପଞ୍ଚ ସୁଜାତା ରାଉତ, ବାରପୁଡୁଗିଆର ସରପଞ୍ଚ ଜନ୍ମେଜୟ ମେହେର, ପିରାମଲ ଫାଉଣ୍ଡସନର କର୍ମକର୍ତ୍ତାଙ୍କ ସମେତ ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.