● ବ୍ୟବସାୟିକ ସୁଗମତା : ସଂଶୋଧିତ ନିୟମ ଅଧୀନରେ, ପ୍ରସାରଣ ସେବା ପୋର୍ଟାଲରେ ସ୍ଥାନୀୟ କେବୁଲ୍ ଅପରେଟରଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ହେଲା
● ଏମ୍ଆଇବି ହେବ ଏଲ୍ସିଓ ପାଇଁ ପଞ୍ଜିକରଣ ପ୍ରାଧିକରଣ; ସାରା ଭାରତରେ ଏଲ୍ସିଓ ପଞ୍ଜୀକରଣର ବୈଧତା ଅବଧି ୫ ବର୍ଷ ହେଲା
ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ଥାନୀୟ କେବୁଲ ଅପରେଟର (ଏଲ୍ସିଓ) ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ (ନିୟମ)ରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଆଜିଠାରୁ ଏଲ୍ସିଓ ପଞ୍ଜୀକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ହେବ ଏବଂ ମନ୍ତ୍ରଣାଳୟ ଏହାର ପଞ୍ଜୀକରଣ ପ୍ରାଧୀକରଣ ଭାବେ କାର୍ଯ୍ୟ କରିବ । ଆବେଦନକାରୀଙ୍କ ଆଧାର, ପ୍ୟାନ୍, ସିଆଇଏନ୍, ଡିଆଇଏନ୍ ଇତ୍ୟାଦି ବିବରଣୀ ସଫଳତାର ସହ ଯାଞ୍ଚ କରାଯିବା ପରେ, ବାସ୍ତବ ସମୟରେ ଏଲ୍ସିଓ ପଞ୍ଜୀକରଣ ପ୍ରମାଣପତ୍ର ଜାରି କରାଯିବ । ଏହାବ୍ୟତୀତ, ଏଲ୍ସିଓ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କିମ୍ବା ନବୀକରଣ ପ୍ରତ୍ୟାଖ୍ୟାନ କ୍ଷେତ୍ରରେ ଆବେଦନ ପାଇଁ ଏକ ବ୍ୟବସ୍ଥା ମଧ୍ୟ ଯୋଡାଯାଇଛି ।
ଏଲ୍ସିଓ ପଞ୍ଜୀକରଣ ସଂକ୍ରାନ୍ତରେ ସଂଶୋଧିତ ନିୟମର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଦିଆଗଲା : –
● ଏମ୍ଆଇବିର ପ୍ରସାରଣ ସେବା ପୋର୍ଟାଲ (www.new.broadcastseva.gov.in)ରେ ନୂତନ ପଞ୍ଜୀକରଣ କିମ୍ବା ପଞ୍ଜୀକରଣର ନବୀକରଣ ପାଇଁ ଏଲ୍ସିଓମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ଏବଂ ପଞ୍ଜୀକରଣ ପ୍ରମାଣପତ୍ର ଅନଲାଇନରେ ଜାରି କରାଯିବ ।
● ଏଲ୍ସିଓ ପଞ୍ଜୀକରଣ ପାଞ୍ଚ ବର୍ଷ ପାଇଁ ମଞ୍ଜୁର କିମ୍ବା ନବୀକରଣ କରାଯିବ ।
● ପଞ୍ଜୀକରଣ କିମ୍ବା ନବୀକରଣ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ମାତ୍ର ପାଞ୍ଚ ହଜାର ଟଙ୍କା ।
● ଏଲ୍ସିଓ ପଞ୍ଜୀକରଣ ସାରା ଭାରତରେ ପରିଚାଳନା ପାଇଁ ବୈଧ ହେବ ।
● ପଞ୍ଜୀକରଣର ନବୀକରଣ ପାଇଁ ଆବେଦନ ପଞ୍ଜୀକରଣର ଅବଧି ଶେଷ ହେବାର ଅତିକମରେ ୯୦ ଦିନ ପୂର୍ବରୁ କରାଯିବା ଆବଶ୍ୟକ ।
ବର୍ତ୍ତମାନର ଏଲସିଓ ପଞ୍ଜୀକରଣ ପ୍ରମାଣପତ୍ରରେ ଉଲ୍ଲେଖ କରାଯାଇଥିବା ଅବଧି ପାଇଁ ବୈଧ ରହିବ । ଏଲ୍ସିଓର ବର୍ତ୍ତମାନର ପଞ୍ଜୀକରଣ ୯୦ ଦିନରୁ କମ୍ ସମୟ ପାଇଁ ବୈଧ ହେଲେ ନବୀକରଣ ପାଇଁ ଆବେଦନ, ଯଦି କିଛି ଥାଏ, ତୁରନ୍ତ ପୋର୍ଟାଲରେ କରାଯିବ । ପଞ୍ଜୀକରଣର ଅନୁଦାନ/ନବୀକରଣ ପାଇଁ ଡାକଘରେ କରାଯାଇଥିବା ଆବେଦନ, ଯାହା ଆଜି ପର୍ଯ୍ୟନ୍ତ ବିଚାରାଧୀନ ଅଛି, ତାହା ପ୍ରତ୍ୟାହାର କରି ପୋର୍ଟାଲରେ ଆବେଦନ କରିବାକୁ ପଡିବ । ଯଦି କୌଣସି ସହାୟତା ଆବଶ୍ୟକ ହୁଏ, ତେବେ କୌଣସି ବ୍ୟକ୍ତି ପୋର୍ଟାଲରେ ଉପଲବ୍ଧ ହେଲ୍ପଲାଇନ୍ ନମ୍ବର ସହିତ ଯୋଗାଯୋଗ କରିପାରିବେ କିମ୍ବା lco.das[at]gov[dot]inକୁ ଇମେଲ ପଠାଇପାରିବେ । ଅନଲାଇନ୍ ଆବେଦନକାରୀଙ୍କ ବିବରଣୀର ସଫଳ ଯାଞ୍ଚ ପରେ ପଞ୍ଜୀକରଣ/ନବୀକରଣ ପ୍ରମାଣପତ୍ର ଏକ ରିଅଲ୍ ଟାଇମ୍ ଆଧାରରେ ଉତ୍ପନ୍ନ ହେବ, ଯାହା ବ୍ୟବସାୟିକ ସୁଗମତା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନୁରୂପ ।