ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଏସ୍‌ଡିଏମ୍‌ ଏ ପ୍ରୋଜେକ୍ଟ ଅଫିସ୍‌ର ବିଶ୍ୱନାଥ ନାୟକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ୧୯୯୯ ମହାବାତ୍ୟାରେ ଏବଂ ବିଭିନ୍ନ ପ୍ରାକୃତିକ ବିପଦରେ ସହସ୍ର ସଂଖ୍ୟାରେ ମୃତାହତ ହୋଇଥିବା ଜନସାଧାରଣଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ସମୟରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ସୋନପୁର ମହାବିଦ୍ୟାଳୟ ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ଯୁବ ରେଡକ୍ରସ ଉମାକାନ୍ତ ନାଗ ଏବଂ ଯୁଗ୍ମ ସମ୍ପାଦକ ଜିଲ୍ଲା ରେଡକ୍ରସ ସମିତି ଡ଼. ସତ୍ୟନାରାୟଣ ହୋତା, ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ ୧୯୯୯ ମହାବାତ୍ୟା, ଫାଇଲିନ, ହୁଡହୁଡର ଏବଂ ବିଭିନ୍ନ ପ୍ରାକୃତିକ ବିପତ୍ତିର ସ୍ମୃତି ଚାରଣ କରିଥିଲେ । ସମସ୍ତ ପ୍ରକାର ପ୍ରାକୃତିକ ବିପଦକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ଏବଂ ଯୁବ ସମାଜର ଭୂମିକା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ରାୟ ଉପଯୁକ୍ତ ପ୍ରାକ ପ୍ରସ୍ତୁତି ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନର ସହଯୋଗରେ ଓଡିଶା କିଭଳି ବିଭିନ୍ନ ମହାବାତ୍ୟାକୁ ସଫଳତାର ସହିତ ମୁକାବିଲା କରି ପ୍ରଶଂସିତ ହୋଇଛି ତାହାର ଉଦାହରଣ ଦେଇଥିଲେ । ଏହା ସହିତ ଜିଲ୍ଲା ପ୍ରଶାସନ ବଢି ମରୁଡିର ମୁକାବିଲା କରିବା ପାଇଁ କିଭଳି ପ୍ରସ୍ତୁତ ସେ ସମ୍ବନ୍ଧରେ ସୂଚନା ଦେଇଥିଲେ । ପୂର୍ବରୁ ଏନ୍‌ଏସ୍‌ଏସ୍‌, ରେଡକ୍ରସ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ସ୍ଵଂୟସହାୟକ ଦଳ କର୍ମକର୍ତ୍ତା, ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଶତାଧିକ ସଂଖ୍ୟାରେ ଏକ ସଚେତନତା ଶୋଭାଯାତ୍ରାରେ ପୁରୁଣା ଟାଉନ ହଲରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଜନସଚେତନତା ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ ଏବଂ ସଭାରେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ । ଏହି ସଭାରେବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ଏବଂ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ଚିତ୍ରାଙ୍କନ, ରଚନା, ତର୍କ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାଶେଷରେ ଅଗ୍ନିଶମ ବିଭାଗ ଅଧିକାରୀ ଧନଞ୍ଜୟ ମଲ୍ଲିକ ଓ ଆଗ୍ନିକ ମାନେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଜନସାଧାରଣଙ୍କୁ ଉଦ୍ଧାର କରିହେବ ତାର ନମୁନା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.